ପୁଣି ଓଡ଼ିଶାମୁହାଁ ଛତିଶଗଡ଼ ହାତୀପଲ

ରାଇଘର, ୬।୧(ଡି.ଏନ୍‌.ଏ.): ଛତିଶଗଡ଼ରୁ ପୁଣି ହାତୀପଲ ଓଡ଼ିଶାମୁହାଁ ହୋଇଛନ୍ତି। ସେମାନଙ୍କୁ ରୋକିବାକୁ ରାଇଘର ବନ ବିଭାଗ ପ୍ରୟାସ ଚଳାଇଛି। ବନ ବିଭାଗ କର୍ମଚାରୀ ଲୋକଙ୍କୁ ସଚେତନ କରିବା ସହ ହାତୀମାନେ ଯେପରି ଓଡ଼ିଶା ସୀମାରେ ନ ପଶିବେ, ସେଥିଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସନ୍ଧ୍ୟାରେ ବାଣ ଫୁଟାଇ, ବାଜା ବଜାଇ ଏବଂ ମଶାଲ ଜାଳି ବନ କର୍ମଚାରୀ ଜଗୁଛନ୍ତି। ନବରଙ୍ଗପୁର ଜିଲା ରାଇଘର ବ୍ଲକ ଛତିଶଗଡ଼ ସୀମାନ୍ତ କୁନ୍ଦେଇ ପଞ୍ଚାୟତର ସମ୍ବଲପୁର ଓ କାଣ୍ଡେତରା ଗ୍ରାମରେ କିଛି ଦିନ ପୂର୍ବରୁ ହାତୀପଲ ଧାନ ଓ ମକା ଫସଲ ନଷ୍ଟ କରିଥିଲେ। ଏବେ ପୁଣି ଓଡ଼ିଶାମୁହାଁ ହେଉଥିବା ଖବରପାଇ ଅଞ୍ଚଳବାସୀ ଚିନ୍ତାରେ ରାଇଘର, ଉମରକୋଟ ଓ ନବରଙ୍ଗପୁର ବନବିଭାଗର ୩୦ଜଣ କର୍ମଚାରୀ ଉକ୍ତ ଗ୍ରାମ ନିକଟରେ ଜଗି ରହିଛନ୍ତି। ଗାଁ ଗାଁ ବୁଲି ବୈଠକ କରି ଲୋକଙ୍କୁ ସଚେତନ କରାଯାଉଛି ବୋଲି ରାଇଘର ଭାରପ୍ରାପ୍ତ ଅଧିକାରୀ ତନୁଜା କାର୍ତ୍ତିକ କହିଛନ୍ତି। ଏହି ଟିମ୍‌ରେ ରାଇଘର ବନପାଳ ବିପିନ୍‌ କୁମାର, କୁନ୍ଦେଇ ବନପାଳ ପ୍ରଫୁଲ୍ଲ ମାଝି, ଗୋନା ବନପାଳ ହର ମାଝି, କୋଡ଼ିଙ୍ଗା ବନପାଳ ରାମ ଯାନିଙ୍କ ସମେତ ସମସ୍ତ ବନ କର୍ମଚାରୀ ଯାଉଥିବା ପ୍ରକାଶ କରିଛନ୍ତି l ସୂଚନାନୁଯାୟୀ, ଛତିଶଗଡ଼ ଗରିଆବନ୍ଧ ଜିଲାର ସାଲେଭାଟ୍ଟା ସଂରକ୍ଷିତ ଜଙ୍ଗଲରୁ ଆସିଥିବା ହାତୀପଲ ମଧ୍ୟରୁ ଏକ ମାଈ ହାତୀ ଓଡ଼ିଶା ସୀମାରୁ ୨/୩ କି.ମି. ଦୂରରେ ଛୁଆ ଜନ୍ମ ଦେଇଛି। ତେଣୁ ହାତୀପଲ ଛୁଆଟିକୁ ସେଠାରେ ଜଗି ରହିଛନ୍ତି। ହାତୀପଲରେ ୧୫ରୁ ଅଧିକ ହାତୀ ଥିବାରୁ ଆମେ ଭୟଭୀତ ବୋଲି ଗ୍ରାମବାସୀ କହିଛନ୍ତି।

Share