କେନ୍ଦୁଝର/ତେଲକୋଇ,୧୭।୩ – ପୋଷାମାନି ମଣିଷଙ୍କ ମେଳରେ ରହୁଥିବା ଏକ ବାର୍ହାକୁ ବନ ବିଭାଗ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲା। ଏହି ଘଟଣା ଖୁବ୍ ଚର୍ଚ୍ଚା ସାଉଁଟିଥିଲା। ୮ ଦିନ ପରେ ପ୍ରିୟ ମଣିଷ ପାଖକୁ ଫେରି ଆସିଛି ସେହି ବାର୍ହା। ଏହି ବାର୍ହା ଏବେ କେଉଁଠି ରହିବ ସ୍ଥିର ହୋଇ ନ ଥିବା ବେଳେ ସ୍ନେହ ଆଦରର ଧୁଡ଼ୁ(ବାର୍ହାର ନାମ)କୁ ଫେରିପାଇଛନ୍ତି ଏହାକୁ ପାଳିଥିବା ତେଲକୋଇ ବ୍ଲକ ପୁରୁଷୋତ୍ତମପୁର ଗ୍ରାମର କୁନ୍ତଳା ପେଣ୍ଠେଇ ଓ ତାଙ୍କ ପରିବାର ଲୋକେ।
ଧୁଡ଼ୁକୁ ଫେରାଇ ଆଣିବା ପାଇଁ କୁନ୍ତଳାଙ୍କ ପରିବାର ଲୋକଙ୍କୁ କମ୍ ପରିଶ୍ରମ କରିବାକୁ ପଡ଼ିନି। ବୁଧବାର କୁନ୍ତଳା ଓ ତାଙ୍କ ଝିଅ ଘରଠାରୁ ୨୦ କି.ମି. ଦୂର ସମାକୋଇ ଜଙ୍ଗଲରେ ପହଞ୍ଚି ଧୁଡ଼ୁ ନାଁ ଧରି ଡାକିଥିଲେ। ତାଙ୍କ ଡ଼ାକ ଶୁଣି ଘଞ୍ଚ ଜଙ୍ଗଲରେ ଥିବା ଧୁଡ଼ୁ ସେମାନଙ୍କ ପାଖକୁ ଧାଇଁ ଆସିଥିଲା। ମା’ ଝିଅ ସାଙ୍ଗରେ ନେଇଥିବା ଭାତ ତାକୁ ଖାଇବାକୁ ଦେଇଥିଲେ। ଆନନ୍ଦରେ ସେହି ଭାତକୁ ଖାଇ ଧୁଡ଼ୁ ସେମାନଙ୍କ ସାଙ୍ଗରେ ପୁରୁଷୋତ୍ତମପୁର ଫେରି ଆସିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଦୁଇ ବର୍ଷ ତଳେ ଜଙ୍ଗଲକୁ ଜାଳେଣୀ କାଠ ଆଣିବାକୁ ଯାଇଥିବା ବେଳେ ମା’ ଠାରୁ ଅଲଗା ହୋଇ ଏକୁଟିଆ ବୁଲୁଥିବା ଏକ ବାର୍ହା ଛୁଆକୁ ପାଇ କୁନ୍ତଳା ଘରକୁ ନେଇ ଆସିଥିଲେ। ସେ ତାକୁ ଖାଇବା ପିଇବାକୁ ଦେଇ ନିଜ ପିଲା ଭଳି ପାଳି ଆସୁଥିଲେ। ବାର୍ହା ଛୁଆଟି ବଡ଼ ହେବା ପରେ ଅଭିଯୋଗ ପାଇ ବନ ବିଭାଗ ଗତ ମଙ୍ଗଳବାର ତାକୁ ଉଦ୍ଧାର କରି ସମାକୋଇ ଜଙ୍ଗଲରେ ଛାଡ଼ି ଦେଇଥିଲେ। ବାରହାକୁ ଝୁରି ଝୁରିି ଦୁଃଖରେ ଦିନ କାଟୁଥିଲେ କୁନ୍ତଳା। ବନ ବିଭାଗ ବାରହାକୁ ନେଇଯିବା ପରେ ପ୍ରତିଦିନ ସେ ଜଙ୍ଗଲରେ ବୁଲି ବୁଲି ତାକୁ ଖୋଜୁଥିଲେ।
ଏ ସଂକ୍ରାନ୍ତରେ ତେଲକୋଇ ରେଞ୍ଜ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କୁ ପଚାରିବାରୁ ଘରେ ବନ୍ୟ ପ୍ରାଣୀ ରଖିବା ବେଆଇନ। ବାର୍ହାକୁ ପାଖରେ ରଖିଥିବା ପରିବାର ଲୋକଙ୍କୁ ପୁଣି ବୁଝାଶୁଝା କରି ଦୂର ଜଙ୍ଗଲରେ ଛାଡ଼ିବା ବ୍ୟବସ୍ଥା କରିବୁ। ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି।