ଯୁବତୀଙ୍କୁ ବଳାତ୍କାର କରି ଗିରଫ ହେଲେ ବନପାଳ

ମାଲକାନଗିରି,୪।୭: ମାଲକାନଗିରି ଜିଲା ଓର୍କେଲ ଥାନା ଅଞ୍ଚଳର ଜଣେ ଯୁବତୀ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାଲକାନଗିରି ବନପାଳ ମୁରଲୀଧର ଅନୁଗୁଳିଆଙ୍କୁ ରବିବାର ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ଯୁବତୀଙ୍କ ସହ ମୁରଲୀଙ୍କ ପୂର୍ବରୁ ପରିଚିତ ଥିଲା। ଏପ୍ରିଲ୍‌ ୫ରେ ବନପାଳଙ୍କ ବାସଭବନକୁ ଯୁବତୀ ଜଣକ ବୁଲିବାକୁ ଆସିଥିଲେ। ଏହାର ସୁଯୋଗ ନେଇ ବନପାଳ ମୁରଲୀ ରାତିରେ ଯୁବତୀଙ୍କ ବଳାତ୍କାର କରିଥିଲେ। ପରେ ପୀଡିତାଙ୍କୁ ବିବାହ କରିବାକୁ ପ୍ରଲୋଭନ ଦେଖାଇ ଘଟଣା ସମ୍ପର୍କରେ କାହାକୁ ନ ଜଣାଇବାକୁ କହିଥିଲେ। ହେଲେ ଘଟଣା ସମ୍ପର୍କରେ ଉଭୟଙ୍କ ପରିବାର ଲୋକେ ଜାଣିବା ପରେ ମୁରଲୀଙ୍କ ସହ ଯୁବତୀଙ୍କ ବିବାହ କରିଦେବାକୁ ସହମତି ପ୍ରକାଶ କରିଥିଲେ। ଇତିମଧ୍ୟରେ ମୁରଲୀ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ପୀଡିତା ଜାଣିବାକୁ ପାଇଥିଲେ। ଏନେଇ ପୀଡିତା ମୁରଲୀଙ୍କୁ ପଚାରିଥିଲେ। ମୁରଲୀ ତାଙ୍କୁ ଧମକଚମକ ଦେବା ସହ ଗାଳିଗୁଲଜ କରିଥିଲେ। ଶେଷରେ ପୀଡିତା ନ୍ୟାୟ ପାଇଁ ମାଲକାନଗିରି ଏସଡିଜେଏମ୍‌ଙ୍କ କୋର୍ଟରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମୁରଲୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share