ହାତୀ ପାଇଁ ସାରା ରାତି ଅଟକ: ୧୪ଘଣ୍ଟା ପରେ ମୁକୁଳିଲେ ଫରେଷ୍ଟର, ବନ କର୍ମଚାରୀ

ବାରିପଦା ଅଫିସ/ଠାକୁରମୁଣ୍ଡା, ୨୨ା୯(ଡି.ଏନ.ଏ.): ଝାଡ଼ଖଣ୍ଡୀ ହାତୀ ଭୟରେ ଶାନ୍ତିରେ ବଞ୍ଚି ପାରୁନାହାନ୍ତି ଲୋକେ। ଘର ଦ୍ୱାର ଭାଙ୍ଗୁଛି। ଫସଲ ଉଜୁଡ଼ୁଛି। କ୍ଷତି ପୂରଣ ମିଳୁନି କିମ୍ବା ହାତୀ ଘଉଡ଼ାଇବା ବ୍ୟବସ୍ଥା କରୁନାହିଁ ବନ ବିଭାଗ। ଏଭଳି ପୁଞ୍ଜୀଭୂତ ଅସନ୍ତୋଷକୁ ନେଇ ତାତିଛନ୍ତି ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ପୁରୁଣା ଦେଓଗଁା ଅଞ୍ଚଳବାସୀ। ହାତୀ ଗତିବିଧି ଅନୁଧ୍ୟାନ କରିବାକୁ ଯାଇଥିବା ଫରେଷ୍ଟର ଓ ବନ କର୍ମଚାରୀମାନଙ୍କୁ ସାରା ରାତି ଅଟକ ରଖି ସେମାନେ ପ୍ରତିବାଦର ସ୍ବର ଉଠାଇଛନ୍ତି। ଖବରପାଇ ଡିଏଫ୍‌ଓ ଶ୍ରୀକାନ୍ତ ନାୟକ, ରେଞ୍ଜର ପ୍ରଦୀପ ପୃଷ୍ଟି, ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗୋଇ ଓ କରଞ୍ଜିଆ ଥାନାଧିକାରୀ ରଞ୍ଜନ ସେଠୀ ପହଞ୍ଚିି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାରୁ ମଙ୍ଗଳବାର ରାତିରୁ ଅଟକ ଥିବା ବନ କର୍ମଚାରୀମାନଙ୍କୁ ୧୪ ଘଣ୍ଟା ପରେ ବୁଧବାର ପୂର୍ବାହ୍ନରେ ଲୋକେ ଛାଡ଼ିଥିଲେ।

ସୂଚନା ଅନୁଯାୟୀ, କରଞ୍ଜିଆ ବନଖଣ୍ଡ ଅଧୀନ ଦୁଧିଆଣୀ ରେଞ୍ଜରେ ଝାଡ଼ଖଣ୍ଡୀ ହାତୀପଲ ଦୀର୍ଘଦିନ ହେଲା ଆତଙ୍କ ଖେଳାଇ ଚାଲିଛନ୍ତି ା ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଲୋକଙ୍କ ପ୍ରାଣହାନି ଘଟୁଛି। ହାତୀ ଭୟରେ ଲୋକେ ରାତିରେ ଘର ଆଗରେ ନିଅଁା ଜାଳି ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ମଙ୍ଗଳବାର ରାତିରେ ପୁରୁଣା ଦେଓଗଁା ନିକଟସ୍ଥ ହଳଦିଆପୋଷି ଗ୍ରାମରେ ହାତୀ ପଶିଥିବା ଖବରପାଇ ଦରି ଫରେଷ୍ଟର ଫାଗୁରାମ ବେଶ୍ରାଙ୍କ ସହ ୧୦ଜଣ ବନ କର୍ମଚାରୀ ସେଠାରେ ପହଞ୍ଚିିଥିଲେ। ବନ କର୍ମଚାରୀମାନଙ୍କୁ ଦେଖି ଗ୍ରାମବାସୀ ହାତୀର ଗତିବିଧି ଉପରେ ବନ ବିଭାଗ ଦୃଷ୍ଟି ଦେଉ ନ ଥିବା କହିବାରୁ କଥା କଟାକଟି ହୋଇଥିଲା। ଶତାଧିକ ଗ୍ରାମବାସୀ ରାତି ୩ଟାରୁ ବୁଧବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ୧୪ଘଣ୍ଟା ଧରି ଫରେଷ୍ଟରଙ୍କ ସହ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ।

ସୂଚନାଯୋଗ୍ୟ, ଏହି ରେଞ୍ଜରେ ୨୮ଟି ହାତୀ ଓ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ୩ଟି ହାତୀ ରହି ଉପତ୍ାତ ଚଳାଇଛନ୍ତି। ମଙ୍ଗଳବାର ଦୁଧିଆଣୀ ରେଞ୍ଜ ଅଧୀନ ବାର୍ହାପାଣପଶି ଗ୍ରାମରେ ହାତୀ ଘର ଭାଙ୍ଗିବା ଦ୍ୱାରା କାନ୍ଥ ପଡ଼ି ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ପ୍ରାୟ ୧୦୦ଏକରରୁ ଊର୍ଦ୍ଧ୍ୱ ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ୭୦ରୁ ଅଧିକ ଘର ହାତୀ ଭାଙ୍ଗିଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଏ ସଂକ୍ରାନ୍ତରେ ରେଞ୍ଜର ପୃଷ୍ଟି କୁହନ୍ତି, ୩୦ଏକର ଜମିରେ ଧାନ ଓ ପରିବା ଫସଲ ହାତୀପଲ ନଷ୍ଟ କରିଥିବା ବେଳେ ପାଖାପାଖି ୨୫ଟି ଘର ଭାଙ୍ଗିଛନ୍ତି। ଖୁବ୍‌ ଶୀଘ୍ର ବିଭାଗ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦିଆଯିବ।