ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ନିଲମ୍ବିତ

କେନ୍ଦୁଝର,୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ ଗଳିତ ମାଈହାତୀର ମୃତଦେହ ମିଳିବା ଘଟଣାରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ ଘଟଣାରେ କାର୍ଯ୍ୟରେ ଅବହେଳା ଏବଂ ବିଳମ୍ବରେ ହାତୀ ମୃତ୍ୟୁ ଘଟଣା ନେଇ ରିପୋର୍ଟ କରିଥିବାରୁ ଚମ୍ପୁଆ ସେକ୍ସନ ଫରେଷ୍ଟର କାଳିନ୍ଦୀ ସାମଲଙ୍କ ନିଲମ୍ବିତ କରି ଜିଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଚମ୍ପୁଆ ରେଞ୍ଜ ଅଧିକାରୀ ଅଶୋକ ଛତ୍ରିଆଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଲେଖାଯାଇଛି। ସେହିପରି ଚମ୍ପୁଆ ବିଟ୍‌ ଫରେଷ୍ଟଗାର୍ଡଙ୍କୁ କାର୍ଯ୍ୟରେ ଅବହେଳା କରିଥିବାରୁ ୩ ଦିନ ମଧ୍ୟରେ ଉତ୍ତର ଦେବାକୁ ନୋଟିସ୍‌ କରାଯାଇଛି। ଉକ୍ତ ଘଟଣାରେ ଟାଟା ପାଓ୍ବାର ବିରୋଧରେ କେସ୍‌ ନମ୍ବର ୨୦ ସିଏଚ୍‌ ଅଫ୍‌ ୨୦୨୩-୨୪ରେ ମାମଲା ରୁଜୁ କରି ଏସ୍‌ଡିଓ,ଜେଇଇ ଓ ଲାଇନମ୍ୟାନଙ୍କ ନାମରେ ମାମଲା ରୁଜୁ କରାଯାଇଛି। ବିଦ୍ୟୁତ୍‌ ସରବରାହ ଜନିତ ତ୍ରୁଟି ଯୋଗୁ ହାତୀର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଏବଂ ସହଯୋଗ କରି ନ ଥିବାରୁ ସେମାନଙ୍କୁ ତଦନ୍ତ କାରୀ ଅଧିକାରୀଙ୍କ ଆଗରେ ହାଜର ହେବାକୁ ନୋଟିସ୍‌ କରାଯାଇଛି । ୧୫ ଦିନ ମଧ୍ୟରେ ବିଦ୍ୟୁତ୍‌ ସରବରାହ ସଂଶୋଧନ କରିବା ପାଇଁ ଟାଟା ପାଓ୍ବାର ଅଧୀକ୍ଷଣ ଯନ୍ତ୍ରୀଙ୍କୁ କୁହାଯାଇଛି।