ଅମରପାଲି,୨୮ା୬: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ବହଳପଦର ପଞ୍ଚାୟତ ସୁରଧାପାଲି(ହୋତାପାଲି)ରେ ପଟ୍ଟା ପାଇଥିବା ଆଦିବାସୀଙ୍କ ଜମିରେ ବନବିଭାଗର ବୃକ୍ଷ ରୋପଣକୁ ବିରୋଧ କରିଛନ୍ତି ଗ୍ରାମବାସୀ।
ହାତିଲିମୁଣ୍ଡା ଫରେଷ୍ଟ ବିଟ ଅଧୀନ ସୁରଧାପାଲିରେ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯିବ। ଏନେଇ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି। ଯେଉଁ ଅଞ୍ଚଳରେ ବୃକ୍ଷ ରୋପଣ ହେବ ତାହାର ଚାରିପଟେ ତାର ଜାଲି ଦିଆଯିବ। ଏଣୁ ଏବେ ପିଲର ଲଗାଯିବା ସହ ବୃକ୍ଷ ରୋପଣ ପାଇଁ ଗାତ ଖୋଳା ଆରମ୍ଭ କରିଛି ବନ ବିଭାଗ। ଅଭିଯୋଗ ଅନୁସାରେ, ଗ୍ରାମର ପ୍ରାୟ ୪୨ ଜଣଙ୍କୁ ୨୦୦୯ରେ ଉକ୍ତ ଜମିର ପଟ୍ଟା ପ୍ରଦାନ କରାଯାଇଛି। ସେହି ଦିନଠାରୁ ଉକ୍ତ ଜମିକୁ ଚାଷ ଜମି ତିଆରି କରି ସେମାନେ ଫସଲ କରୁଛନ୍ତି।
ସୋମବାର ବନ ବିଭାଗ ପକ୍ଷରୁ ଉକ୍ତ ଜମିରେ ବୃକ୍ଷ ରୋପଣ ପାଇଁ ଗାତ ଖୋଳିବା ସହିତ ଏହାର ଚାରିପଟେ ତାରଜାଲି ବାଡା ଦେବା ବେଳେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବିରୋଧ କରିଥିଲେ। ଘଟଣାସ୍ଥଳରେ ବହଳପଦର ସମିତି ସଭ୍ୟ ପୀତାମ୍ବର ସାହୁ, ପ୍ରଫୁଲ୍ଲ ଦନ୍ତା ପ୍ରମୁଖ ପହଞ୍ଚି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏନେଇ ବୀରମହାରାଜପୁର ରେଞ୍ଜ ଅଧିକାରୀ ଅବିନାଶ ବେରିହାଙ୍କୁ ପଚାରିବାରୁ ଜମିକୁ ପ୍ରଥମେ ଚିହ୍ନଟ କରାଯିବ। ପଟ୍ଟା ପାଇଥିବା ଜମିରେ ବୃକ୍ଷ ରୋପଣ ନ କରି ଜଙ୍ଗଲ ଜମି ଓ ଖାଲି ପଡିଆରେ ବୃକ୍ଷ ରୋପଣ କରାଯିବ ବୋଲି ସେ କହିଛନ୍ତି ।