କାକଟପୁର ଅଞ୍ଚଳରୁ ଲୋପପାଉଛି ଜଙ୍ଗଲ

କାକଟପୁର,୧୪।୮(ଶୁଭଦର୍ଶନ ମିଶ୍ର): ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଗଛ କଟା ଯିବା ମାନବ ସମାଜ ପାଇଁ ବଡ଼ ବିପଦ ସାଜିଛି। କାକଟପୁର- ନିମାପଡ଼ା ଓ କାକଟପୁର- କୋଣାର୍କ ମୁଖ୍ୟ ରାସ୍ତାରେ ଥିବା ଶହ ଶହ ଗଛ ରାସ୍ତା ପ୍ରଶସ୍ତୀକରଣ ନାମରେ କଟା ଯାଇଛି। ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲାଣି ହେଲେ, ଏ ପର୍ଯ୍ୟନ୍ତ ଗୋଟିଏ ବି ଗଛ ଲଗା ଯାଇନାହିଁ। କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ବେଆଇନ କରତକଳ ଚାଲିଛି। ଗୋଲରାଗଡ଼, ଗଡନୟରଛଡାର ଶହ ଶହ ଏକର ଜମିରେ ଥିବା ମୂଲ୍ୟବାନ ଗଛର ଘଞ୍ଚ ଜଙ୍ଗଲ କୁଣ୍ଢେଇଲ ଓ ଅଭୟାରଣ୍ୟରୁ କାଠ ମାଫିଆ ଦିନରାତି କାଠ ଚୋରି କରିବାରେ ଲାଗିଛନ୍ତି। ଜଙ୍ଗଲ ସହ ବିଭିନ୍ନ ଲୋକଙ୍କ ବାଡ଼ି ବଗିଚାରୁ ଜୀବନ୍ତ ଗଛଗୁଡ଼ିକ କାଟି ପଦା କରି ଚାଲିଛନ୍ତି। ହେଲେ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ପାଣିଛତ୍ର ତଥ୍ୟ ଅନୁଯାୟୀ, କାକଟପୁର ଅସ୍ତରଙ୍ଗ ଅଞ୍ଚଳରେ ଗୋଟିଏ ବି ବେଆଇନ କରତକଳ ନାହିଁ। ବର୍ତ୍ତମାନ ଅବାଧରେ କଟାଯାଉଥିବା ଗଛ ରାକେଟରେ କେତେଜଣ ରାଜନେତା, ବନକର୍ମଚାରୀ, କରତକଳ ମାଲିକ ଏବଂ କାଠ ମାଫିଆ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ବେଆଇନ କରତକଳକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଉଥିବାବେଳେ ବିଦ୍ୟୁତ୍‌ ବିଭାଗ ଅଧିକାରୀ ଏଥିପାଇଁ ମୋଟା ଅଙ୍କର ଟଙ୍କା ନେଉଥିବା ଜଣାପଡ଼ିଛି। ଗଛ କଟା ବୃଦ୍ଧି ଯୋଗୁ ଉପରୋକ୍ତ ବ୍ଲକ ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲ ଦିନକୁଦିନ ଲୋପ ପାଇବାରେ ଲାଗିଛି। ଫଳରେ ବନ୍ୟଜନ୍ତୁ ଗଁାମୁହଁା ହେଉଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଲାଇସେନ୍ସପ୍ରାପ୍ତ କରତକଳଗୁଡ଼ିକୁ ସ୍ବତନ୍ତ୍ର ଶିଳ୍ପାଞ୍ଚଳରେ ଥଇଥାନ କରିବା ପରିବର୍ତ୍ତେ ବନବିଭାଗର ପରୋକ୍ଷ ସହାୟତାରେ ବେଆଇନ କରତକଳଗୁଡ଼ିକ କୁଟୀରଶିଳ୍ପରେ ପରିଣତ କରୁଛି। କାଠ ମାଠିଆମାନେ ଟ୍ରାକ୍ଟର ମାଧ୍ୟମରେ ଟ୍ରିପ ଟ୍ରିପ ଚୋରାକାଠ ଜିଲା ବାହାରକୁ ଚାଲାଣ କରୁଛନ୍ତି।

Share