ନେଟଓ୍ବର୍କ ନ ଆସିଲେ ଭୋଟ କଥା ଭୁଲିଯାଅ

ଦେବଗଡ଼,୧୮।୧(ଡି.ଏନ.ଏ.): ନେଟୱାର୍କ ସମସ୍ୟା ନେଇ ତିଲେଇବଣୀ ବ୍ଲକର ୬ଟି ପଞ୍ଚାୟତବାସୀ ଦୀର୍ଘଦିନ ଧରି ଅସନ୍ତୋଷ ଅଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ। ଫଳରେ ଅଞ୍ଚଳବାସୀ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ମାଓବାଦୀ ଅଞ୍ଚଳ ଭାବେ ପରିଚିତ ତିଲେଇବଣୀ ବ୍ଲକର ଆଦିବାସୀ ଅଧ୍ୟୁଷିତ ତଥା ଅନୁନ୍ନତ ଝରାଗୋଗୁଆ, ଗଣ୍ଡମ, ଡିମିରିକୁଦା, ପାରପୋଷି, ଝାରମୁଣ୍ଡା ଓ ଲଇମୁରା ପଞ୍ଚାୟତ ଅଞ୍ଚଳରେ ମୋବାଇଲ ନେଟୱାର୍କ ଟାୱାର ସ୍ଥାପନ ପାଇଁ ବାରମ୍ବାର ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସମ୍ବଲପୁର ଏମ୍‌ପି ନିତେଶ ଗଙ୍ଗଦେବ ଓ ଜିଲାପାଳଙ୍କ ନିକଟରେ ଦାବି କରିଥିଲେ। ସେମାନଙ୍କୁ କେବଳ ପ୍ରତିଶ୍ରୁତି ଛଡା ଆଉ କିଛି ମିଳୁନାହିଁ। ଫଳରେ ଅଞ୍ଚଳବାସୀ ନିରାଶ ହୋଇପଡିଛନ୍ତି। ଏ ନେଇ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏ ସମସ୍ୟା ସମାଧାନ କରା ନ ଗଲେ ଅଞ୍ଚଳବାସୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଜିଲାପାଳ, ଏମ୍‌ପି ଓ ବିଧାୟକଙ୍କୁ ଲିଖିତ ଚେତାବନୀ ଦେଇଥିଲେ। ମାତ୍ର ସେମାନଙ୍କ ଦାବି ପୂରଣ ନ ହେବାରୁ ଝରାଗୋଗୁଆ, ଗଣ୍ଡମ, ଡିମିରିକୁଦା ଓ ପାରପୋଷି ପଞ୍ଚାୟତର ଜନସାଧାରଣ ଝରାଗୋଗୁଆ ବଜାର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପୂର୍ବ ଘୋଷଣା ଅନୁଯାୟୀ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଥିଲେ। ସୋମବାର ଠାରୁ ଆରମ୍ଭ ହେବାକୁ ଥିବା ମନୋନୟନପତ୍ର ଦାଖଲ ପ୍ରକ୍ରିୟାରୁ ବିରତ ରହିବାକୁ ନିଷ୍ପତି ନେଇଥିଲେ। ଏଥିସହ ଗ୍ରାମବାସୀଙ୍କ ବୈଠକ ନିଷ୍ପତିକୁ ଅମାନ୍ୟ କରି କୌଣସି ବ୍ୟକ୍ତି ନାମାଙ୍କନ ଦାଖଲ କଲେ ତାଙ୍କୁ ପଞ୍ଚାୟତ ବିରୋଧି ବିବେଚନା କରାଯିବ ବୋଲି ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି। ଫଳରେ ତିଲେଇବଣୀ ବ୍ଲକର ଉପରୋକ୍ତ ପଞ୍ଚାୟତଗୁଡିକରେ ନିର୍ବାଚନ ନେଇ ଆଶଙ୍କା ପ୍ରକାଶ ପାଇଛି।