Categories: ଜାତୀୟ

ଭାଜପାରେ ମିଶିଲେ ପୂର୍ବତନ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୪।୩: ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ବାୟୁସେନା ମାର୍ଶଲ (ଅବସରପ୍ରାପ୍ତ) ଆର.କେ.ଏସ ଭଦୌରିଆ ରବିବାର ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଭାଜପା ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ।
ତବସରପ୍ରାପ୍ତ ଏୟାର ଚିଫ ମାର୍ଶଲ ଭାଜପାରେ ମିଶିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା ସଭାପତି ଜେପି ନଡାଙ୍କ ସମେତ ଅନେକ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମୋ ଜୀବନର ୪୦ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ବାୟୁସେନା ପାଇଁ କାମ କରିଥିବାରୁ ମୁଁ ବହୁତ ଭାଗ୍ୟବାନ। ଏହା ଅତ୍ୟନ୍ତ ଗର୍ବର ବିଷୟ। ଏହି ସମୟ ମଧ୍ୟରେ ସବୁଠାରୁ ସୁବର୍ଣ୍ଣ ସୁଯୋଗ ହେଉଛି ଯାହା ମୋର ସେବାର ଶେଷ ଅବଧିରେ ଆସିଛି। ଭାରତୀୟ ସୈନ୍ୟବାହିନୀକୁ ଶକ୍ତିଶାଳୀ କରିବା, ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ଆଧୁନିକୀକରଣ କରିବା ପାଇଁ ଗତ ୮ରୁ ୧୦ ବର୍ଷ ମଧ୍ୟରେ ଏହି ଦଳର ସରକାର ନେଇଥିବା କଠୋର ପଦକ୍ଷେପ ଆମ ସୈନ୍ୟବାହିନୀର ଦକ୍ଷତା ବିକାଶ କରିଛି।
ସେ ଆହୁରି ମଧ୍ୟ କହିଛନ୍ତି, ଏହା ସହ ଶକ୍ତି ଉପରେ ଏକ ନୂତନ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳ ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ପ୍ରଭାବ ତୃଣମୂଳ ସ୍ତରରେ ମଧ୍ୟ ଦେଖାଯାଉଛି। ଏହା ଆମକୁ ସ୍ବଦେଶୀ କ୍ଷମତା ମଧ୍ୟ ଦେବ।
ଏସିଏମ ରାକେଶ କୁମାର ସିଂ ଭଦୌରିଆ ମୂଳତଃ ଉତ୍ତରପ୍ରଦେଶରୁ ଆସିଛନ୍ତି। ଭାରତକୁ ମଜବୁତ କରିବା ପାଇଁ ୩୬ ରାଫେଲ ବିମାନ କିଣିବା ପାଇଁ ସେ ଗଠିତ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ଭାରତୀୟ ବାୟୁସେନାର ସର୍ବଶ୍ରେଷ୍ଠ ପାଇଲଟମାନଙ୍କ ମଧ୍ୟରୁ ରାକେଶ କୁମାର ସିଂ ଭଦୌରିଆ ଅନ୍ୟତମ। ଅଦ୍ୟାବଧି ସେ ରାଫାଲ ସମେତ ୨୮ରୁ ଅଧିକ ପ୍ରକାରର ଯୁଦ୍ଧ ବିମାନ ଏବଂ ପରିବହନ ବିମାନ ଉଡ଼ାଣ କରିଛନ୍ତି।

 

Share