Categories: ଜାତୀୟ

ପୂର୍ବତନ ସେନା ଅଧିକାରୀ ଗିରଫ

ମିରଟ୍‌, ୯ା୧: ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ସୌରଭ ଶର୍ମାଙ୍କୁ ଉତ୍ତରପ୍ରଦେଶର ହାପୁଡ ଜିଲାରୁ ଗିରଫ କରାଯାଇଛି। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇକୁ ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟକଳାପ ସହ ଜଡିତ ସୂଚନା ସେ ଲିକ୍‌ କରୁଥିଲେ ବୋଲି ଅଭିଯୋଗ ରହିଛି। ଏହି କାମ ପାଇଁ ଆଇଏସ୍‌ଆଇ ତାଙ୍କ ସ୍ତ୍ରୀ ପୂଜା ଶର୍ମାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ବୋଲି ଜଣାପଡିଛି। ଗତ ନଭେମ୍ବରରେ ମିଲିଟାରୀ ଇଣ୍ଟେଲିଜେନ୍ସ ଶର୍ମାଙ୍କ ଏହି କାର୍ଯ୍ୟରେ ସମ୍ପୃକ୍ତି ଥିବା ନେଇ ସୂଚନା ପାଇଥିଲା। ଡିସେମ୍ବର ଆରମ୍ଭରେ ୟୁପି ଆଣ୍ଟି ଟେରରିଜିମ୍‌ ସ୍କ୍ବାଡ (ଏଟିଏସ୍‌)କୁ ତଥ୍ୟ ମିଳିବା ପରେ ପରେ ମିଳିତ ତଦନ୍ତ ଆରମ୍ଭ ହୋଇଥିଲା। ଅଭିଯୁକ୍ତ ୨୦୧୩ ରେ ସେନାରେ ଯୋଗ ଦେଇଥିଲେ। ପୂର୍ବରୁ ମଧ୍ୟ ଏଟିଏସ୍‌ ତାଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିଥିଲା। ହେଲେ କୌଣସି ପ୍ରମାଣ ନ ମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା। ଶର୍ମା ୨୦୧୪ରେ ଫେସ୍‌ବୁକ୍‌ ଯୋଗେ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ରହିଥିଲେ। ମହିଳା ଜଣକ ନିଜକୁ ଡିଫେନ୍ସ ଜର୍ନାଲିଷ୍ଟ ବୋଲି କହିଥିଲେ। ୨୦୧୬ରେ ଟଙ୍କା ବଦଳରେ ସେ ସମ୍ପଅକ୍ତା ପାକିସ୍ତାନୀ ଏଜେଣ୍ଟଙ୍କୁ ଭାରତର ଆଭ୍ୟନ୍ତରୀଣ ତଥ୍ୟ ଦେଇଥିଲେ ବୋଲି ତଦନ୍ତକାରୀ ଅଧିକାରୀଙ୍କ ଆଗରେ ମାନିଛନ୍ତି। ଅଭିଯୁକ୍ତଙ୍କ ମୋବାଇଲରୁ ମଧ୍ୟ ଏ ସଂକ୍ରାନ୍ତରେ ଅନେକ ପ୍ରମାଣ ମିଳିଥିବା ଏଟିଏସ୍‌ ପକ୍ଷରୁ କୁହାଯାଇଛି। ଜୁନ୍‌ ୨୦୨୦ରେ ଶର୍ମା ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ କାର୍ଯ୍ୟରୁ ଅବ୍ୟାହତି ନେଇଥିଲେ।

Share