ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୂର୍ବତନ ଏଏସ୍‌ପି ତ୍ରିନାଥ ମିଶ୍ରଙ୍କ ଜାମିନ ଖାରଜ

କଟକ ଅଫିସ,୨୫ା୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୂର୍ବତନ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଜାମିନ ଆବେଦନ ଗୁରୁବାର ଭିଜିଲାନ୍ସ କୋର୍ଟରେ ଖାରଜ ହୋଇଯାଇଛି। ଫଳରେ ତ୍ରିନାଥଙ୍କୁ ଜେଲ୍‌ରେ ରହିବାକୁ ପଡ଼ିବ।
ସୂଚନାଯୋଗ୍ୟ, ଗତ ୧୫ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ୮କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯିବା ପରେ ୧୬ ତାରିଖରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ୨୨ତାରିଖରେ ଭିଜିଲାନ୍ସ କୋର୍ଟରେ ତ୍ରିନାଥ ଜାମିନ ପାଇଁ ଆବେଦନ କରିଥିଲେ। ତେବେ ଭିଜିଲାନ୍ସ ପକ୍ଷରୁ ଅପ୍‌ ଟୁ ଡେଟ୍‌ କେସ୍‌ ଡାଏରୀ ଦାଖଲ କରାଯାଇ ନ ପାରିବାରୁ ମାମଲାର ଶୁଣାଣି ହୋଇପାରି ନ ଥିଲା। ଅନ୍ୟପକ୍ଷରେ ଜେଲ୍‌ରେ ଥିବା ତ୍ରିନାଥଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଏ ସଂକ୍ରାନ୍ତ ରୁଜୁ ମାମଲାର ଶୁଣାଣି କରି ଭିଜିଲାନ୍ସ କୋର୍ଟ ଚୌଦ୍ୱାର ଜେଲ୍‌ ଅଧୀକ୍ଷକଙ୍କୁ ଆଦେଶ ଦେଇଛନ୍ତି। ସେହିପରି ଭିଜିଲାନ୍ସ ଏଫ୍‌ଆଇଆର୍‌ରେ ତ୍ରିନାଥଙ୍କ ସ୍ତ୍ରୀ ଦିପ୍ତୀମୟୀ ଚୌଧୁରୀଙ୍କ ନାମ ଥିବାରୁ ସେ ମଧ୍ୟ ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ତ୍ରିନାଥଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି।

Share