ବାଂଲାଦେଶ ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ୧୧ ବର୍ଷ ଜେଲ

ଢାକା, ୧୧ା୧୧: ବାଂଲାଦେଶ ପୂର୍ବତନ ପ୍ରଧାନ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନାଙ୍କୁ ଦୁଇଟି ଦୁର୍ନୀତି ମାମଲାରେ ୧୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଢାକା ସ୍ପେଶାଲ ଜଜ୍‌ ଶୈଖ୍‌ ନଜମୁଲ ଆଲମ ଦେଶର ପ୍ରଥମ ହିନ୍ଦୁ ପ୍ରଧାନ ବିଚାରପତି ସିହ୍ନାଙ୍କୁ ଏକ ଠକେଇ ମାମଲାରେ ୭ ବର୍ଷ ଏବଂ ବିଶ୍ୱାସଘାତ କାର୍ଯ୍ୟକଳାପ ପାଇଁ ୪ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ୭୦ ବର୍ଷୀୟ ସିହ୍ନା ଏବେ ଆମେରିକାରେ ଥିବାରୁ ଦଣ୍ଡାଦେଶବେଳେ ଅନୁପସ୍ଥିତ ରହିଥିଲେ।
ଫାର୍ମର୍ସ ବ୍ୟାଙ୍କ (ବର୍ତ୍ତମାନର ପଦ୍ମ ବ୍ୟାଙ୍କ୍‌)ରୁ ସିହ୍ନା ପ୍ରାୟ ୪ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ୨୦୧୫ରେ ସେ ସଂଖ୍ୟାଲଘୁ ହିନ୍ଦୁଧର୍ମର ପ୍ରଥମ ବ୍ୟକ୍ତି ଭାବେ ବାଂଲାଦେଶର ପ୍ରଧାନ ବିଚାରପତି ହୋଇଥିଲେ। ସଂସଦ ବିଚାରପତିଙ୍କୁ ବହିଷ୍କାର କରିପାରିବ ନାହିଁ ବୋଲି ୨୦୧୭ରେ ସେ ଏକ ରାୟ ଦେଇଥିଲେ, ଯାହାକୁ ଆଇନଜୀବୀ ସଂଘ ସମର୍ଥନ କରିଥିଲା। କିନ୍ତୁ ଏହି ରାୟ ଦେବା ପରେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଉଥିବା କହି ସେହି ବର୍ଷ ଶେଷ ଆଡ଼କୁ ସେ ଦେଶ ଛାଡ଼ି ଦେଇଥିଲେ। ଏବେ ସେ ଉତ୍ତର ଆମେରିକାରେ ରହୁଛନ୍ତି।

Share