ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କୁ ଫାଶୀଦଣ୍ଡ

ବେଜିଂ, ୬ା୧: ଚାଇନାର ଜଣେ ପୂର୍ବତନ ବ୍ୟାଙ୍କ ଅଧିକାରୀ ଲାଇ ଜିଆଓମିନ୍‌ଙ୍କୁ ତିଆନଜିନ୍‌ସ୍ଥିତ ଏକ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଲାଇଙ୍କ ନାମରେ ୨୬୦ ଡଲାର ମିଲିୟନ ଲାଞ୍ଚ କାରବାର ଓ ଦୁର୍ନୀତି ଅଭିଯୋଗ ରହିଥିଲା। କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ସଦସ୍ୟ ଲାଇ ଷ୍ଟେଟ ବ୍ରଡକାଷ୍ଟର ଚାଇନା ସେଣ୍ଟ୍ରାଲ ଟେଲିଭିଜନ (ସିସିଟିଭି) ସମ୍ମୁଖରେ ନିଜ ଦୋଷ ମାନିଥିଲେ। ଏହି ଦୃଶ୍ୟ ଟେଲିଭିଜନରେ ପ୍ରସାରଣ କରାଯାଇଥିଲା। ନିଜ ପଦବୀର ଦୁରୁପଯୋଗ କରି ସେ ବିପୁଳ ପରିମାଣର ଅର୍ଥ, ସୌଖୀନ କାର୍‌, ସୁନା ଇଟା ଆଦି ଲାଞ୍ଚ ନେବା ସହ ବ୍ୟାପକ ମାତ୍ରାରେ ଦୁର୍ନୀତିରେ ସାମିଲ ଥିଲେ ବୋଲି କୋର୍ଟ କହିଛନ୍ତି। ତେବେ ଉକ୍ତ ଟଙ୍କାକୁ ସେ ଆଦୌ ଖର୍ଚ୍ଚ କରି ନ ଥିବା ଲାଇ କହିଥିଲେ। ହଂକଂ ତାଲିକାଭୁକ୍ତ ଚାଇନା ହୁଆରଙ୍ଗ ଆସେଟ ମ୍ୟାନେଜମେଣ୍ଟ କୋ. ପୂର୍ବତନ ଚେୟାରମ୍ୟାନ୍‌ ଲାଇ ବିବାହିତ ସତ୍ତ୍ୱେ ବେଆଇନ ଭାବେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବା ଏବଂ ତାଙ୍କ ଔରସରୁ ସନ୍ତାନ ଜନ୍ମ ନେବା ଘଟଣାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Share