Categories: ଖେଳ

ଭାରତୀୟ ଦଳର ୯ ଖେଳାଳି ଆହତ:ସେହ୍ବାଗ କହିଲେ, ମୁଁ ଅଷ୍ଟ୍ରେଲିଆ ଯିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ,୧୩।୧: ବ୍ରିସବେନ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଛି। ଭାରତୀୟ କ୍ରିକେଟ ଦଳ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ତଥା ଅନ୍ତିମ ମ୍ୟାଚ୍‌ ପୂର୍ବରୁ ଅନ୍ତିମ-୧୧ ଖେଳାଇବାକୁ ନେଇ ଚିନ୍ତାରେ ପଡିଛି। ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟେଷ୍ଟ ସିରିଜରେ ଏପର୍ଯ୍ୟନ୍ତ ୯ ଖେଳାଳି ଆହତ ହୋଇଛନ୍ତି। ଏଥିରେ ମହମ୍ମଦ ଶାମି, ଉମେଶ ଯାଦବ, ରବିନ୍ଦ୍ର ଜାଡେଜା, ହନୁମା ବିହାରୀ ଏବଂ ଜସପ୍ରୀତ ବୁମ୍‌ରାଙ୍କୁ ସିରିଜରୁ ବାଦ ଦିଆଯାଇଛି। ଏଭଳି ପରିସ୍ଥିତିରେ କୋଚ ରବି ଶାସ୍ତ୍ରୀ ଏବଂ ଅଧିନାୟକ ଅଜିଙ୍କେ ରାହାନେ ଫିଟ ଥିବା ୧୧ ଖେଳାଳିଙ୍କୁ ସଂଗ୍ରହ କରିବାରେ ସମସ୍ୟା ହେଉଛି। ଏହି ସମୟରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଥଟ୍ଟା କରି କହିଛନ୍ତି ଯେ, ସେ ବ୍ରିସବେନ ଟେଷ୍ଟରେ ଖେଳିବାକୁ ପ୍ରସ୍ତୁତ। ସେହ୍ବାଗ ମଧ୍ୟ ତାଙ୍କ ଟୁଇଟ୍‌ରେ ୬ ଜଣ ଖେଳାଳିଙ୍କ ଫଟୋ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ଏତେ ସଂଖ୍ୟକ ଖେଳାଳି ଆହତ ହୋଇଛନ୍ତି, ଯଦି ଏକାଦଶ ଚୟନରେ ଅସୁବିଧା ହେଉଛି ତେବେ ମୁଁ ଅଷ୍ଟ୍ରେଲିଆ ଯିବାକୁ ପ୍ରସ୍ତୁତ ଅଛି । କ୍ୱାରାଣ୍ଟାଇନ ଦେଖିଦେବା । ସେହ୍ବାଗ ବିସିସିଆଇକୁ ମଧ୍ୟ ଟ୍ୟାଗ କରିଛନ୍ତି। ସୂଚନାଯୋଗ୍ୟ,ଆହତ କାରଣରୁ ଦ୍ରୁତ ବୋଲର ମହମ୍ମଦ ଶାମି, ଇଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ମଧ୍ୟ ସିରିଜରୁ ବାହାରିଛନ୍ତି। ଏଥି ସହିତ ପ୍ରଥମ ଦୁଇଟି ଟେଷ୍ଟରେ ବିଫଳ ହୋଇଥିବା ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ନେଟ ଅଭ୍ୟାସ ସମୟରେ ଗ୍ଲୋଭସ ଉପରେ ବଲ ବାଜିଥିଲା। ତାଙ୍କ ସ୍କାନ ରିପୋର୍ଟକୁ ଅପେକ୍ଷା କରିଛି। ସେ ହନୁମା ବିହାରୀଙ୍କ ସ୍ଥାନ ନେବେ ଏବଂ ଯଦି ଆଘାତ ଗୁରୁତର ନ ହୁଏ ତେବେ ଖେଳି ପାରିବେ।