Categories: ଜାତୀୟ

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁବାଷ ସିଂହ

ପାଟନା,୧୬।୮: ବିହାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଏକ ଅଘଟଣ ଘଟିଛି। ବିହାର ସରକାରେ ଥିବା ପୂର୍ବତନ ମନ୍ତ୍ରୀ ତଥା ଭାଜପା ବିଧାୟକ ସୁବାଷ ସିଂହଙ୍କ ପରଲୋକ ଘଟିଛି। ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ତାଙ୍କର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ବେଳେ ଗତ କିଛି ଦିନରୁ ସେ ଅସୁସ୍ଥ ଥିଲେ। ଅସୁସ୍ଥ ଅବସ୍ଥାରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ତାଙ୍କ ମୃତଦେହ ଦିଲ୍ଲୀରୁ ପାଟନା ସ୍ଥିତ ତାଙ୍କ ପୈତୃକ ଗ୍ରାମ ଗୋପାଳଗଞ୍ଜର ଖ୍ବାଜାପୁରକୁ ଅଣାଯିବ। ତାଙ୍କର ଶେଷ ରୀତିନୀତି ଗାଁରେ ଅନୁଷ୍ଠିତ ହେବ। ଅନ୍ୟପଟେ ତାଙ୍କ ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଇତିମଧ୍ୟରେ ବିହାର ନୂତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ସୁଭାଷଙ୍କ ବିୟୋଗରେ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୦୫ ମସିହାରୁ ସେ ଲଗାତର ଭାବେ ୪ ଥର ଗୋପାଳଗଞ୍ଜର ସଦର ଆସନରୁ ଭାଜପା ବିଧାୟକ ଥିଲେ।

Share