କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଜେଡି ବିଧାୟକ

କେନ୍ଦୁଝର,୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ସଦର ବିଜେଡି ବିଧାୟକ ସୁବର୍ଣ୍ଣ ନାୟକ ତାଙ୍କ ସ୍ତ୍ରୀଙ୍କ ସହିତ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ ତାଙ୍କର ବହୁ ସମର୍ଥକ ମଧ୍ୟ କଂଗ୍ରେସରେ ସାମିଲ ହୋଇଥିଲେ।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ଜୟଦେବ ଜେନା, ଜିଲା ସଭାପତି ମୋହନ ପରିଡ଼ା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ସମ୍ପାଦକ ସଂଗ୍ରାମ ଦାସ, ଜିଲା ଆଦିବାସୀ ସେଲ ସଭାପତି ବିନୋଦ ବିହାରୀ ନାୟକ, ଯୁବ ସଭାପତି ସୁନେଶ ଧିର ପ୍ରମୁଖ ମିଶ୍ରଣ ପର୍ବରେ ଉପସ୍ଥିତି ରହି ସ୍ତ୍ରୀ-ସ୍ବାମୀଙ୍କୁ ସ୍ବାଗତ କରିଥିଲେ।

ଚାକିରୀରୁ ଅବସର ନେଇ ସୁବର୍ଣ୍ଣ ବିଜେଡିରେ ଯୋଗ ଦେଇ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡିର ବିଧାୟକ ଥିଲେ। ତେବେ ଦୀର୍ଘ ୧୦ବର୍ଷ ଅପେକ୍ଷା ପରେ ମଧ୍ୟ ଦଳ ତାଙ୍କୁ ଅଣଦେଖା କରିବାରୁ ବାଧ୍ୟ ହୋଇ ଦଳ ଛାଡିଥିବା ସୁବର୍ଣ୍ଣ କହିଛନ୍ତି।

ସେହିପରି ତାଙ୍କ ସ୍ତ୍ରୀ ମଧ୍ୟ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ଥିଲେ। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ୧୬ ନମ୍ବର ଜୋନରୁ ଜିଲାପରିଷଦ ଭାବେ ବିଜୟୀ ହୋଇଥିଲେ। ସେ ମଧ୍ୟ ବିଜେଡିର ରାଜ୍ୟ କାଉନସିଲ ସଦସ୍ୟା ଥିଲେ। ଦଳ ସେମାନଙ୍କୁ ଅଣଦେଖା କରିଥିବାରୁ ଲୋକଙ୍କ ସେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିବା ଉଭୟ ସ୍ତ୍ରୀ-ସ୍ବାମୀ କହିଛନ୍ତି। ଆଦିବାସୀଙ୍କ ପ୍ରତି କରାଯାଉଥିବା ଭାଜପା ଓ ବିଜେଡିର ଅବହେଳାକୁ ନେଇ ଲୋକଙ୍କ ପାଖକୁ ଯିବେ ଓ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଜିଲାର ବିକାଶରେ ଲଢେଇ ଜୋରଦାର କରିବେ ବୋଲି କହିଛନ୍ତି।

Share