Categories: ଜାତୀୟ

କାନ ଧରି ଭୁଲ ମାଗିଲେ ପୂର୍ବତନ ଭାଜପା ବିଧାୟକ

ବାରାଣସୀ,୧୦।୧: ଉତ୍ତରପ୍ରଦେଶର ବାରାଣସୀରେ ଏକ ଅଭାବନୀୟ ଘଟଣା ଘଟିଛି। ଅଶ୍ଳୀଳ ବ୍ୟବହାର ଅଭିଯୋଗରେ ଜଣେ ପୂର୍ବତନ ଭାଜପା ବିଧାୟକଙ୍କୁ ମାଡ ଦିଆଯିବା ସହ କାନ ଧରି କ୍ଷମା ମଗାଯାଇଥିଲା।ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମାମଲା ବାରାଣସୀର ଚୌବେପୁର ପୋଲିସ ଷ୍ଟେଶନ ଅଞ୍ଚଳର ଭାଗତୁଆ ଗ୍ରାମରେ ଘଟିଛି। ଏଠାରେ ଏକ ଇଣ୍ଟର କଲେଜର ଅଧ୍ୟକ୍ଷ ତଥା ପୂର୍ବତନ ଭାଜପା ବିଧାୟକ ମାୟାଶଙ୍କର ପାଠକ ଜଣେ ଛାତ୍ରୀଙ୍କ ସହ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଥିଲା। ପୀଡିତା ଛାତ୍ରଙ୍କ ଅଭିଯୋଗ ସମ୍ପର୍କରେ ସୂଚନା ପାଇବା ପରେ ତାଙ୍କ ପରିବାର ଉତ୍‌କ୍ଷିପ୍ତ ହୋଇ ମାୟାଶଙ୍କର ପାଠକଙ୍କୁ ମାଡ ମାରିବା ସହ ଏହାର ଏକ ଭିଡିଓ ମଧ୍ୟ କରିଥିଲେ। ମାୟାଶଙ୍କର ପାଠକ ଏକଦା ବାରାଣସୀରେ ଭାଜପା ବିଧାୟକ ଥିଲେ ଏବଂ ଏବେ ଏମ୍‌ପି ଇନଷ୍ଟିଚ୍ୟୁଟ ଆଣ୍ଡ୍‌ କମ୍ପ୍ୟୁଟର କଲେଜ ନାମରେ ଇଣ୍ଟର କଲେଜ ଚଳାଉଛନ୍ତି। ଏହି ଭିଡିଓଟି ୨ ଦିନ ପୂର୍ବରୁ ବୋଲି କୁହାଯାଉଛି। ଅଭିଯୋଗ ହୋଇଛି ଯେ ମାୟାଶଙ୍କର ତାଙ୍କ କାର୍ଯ୍ୟାଳୟକୁ ଡାକି ଜଣେ ଛାତ୍ରୀଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ। ଏହା ପରେ ଝିଅଟି ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ କହିଥିଲା। ଏହାପରେ ତାଙ୍କ ପରିବାର ଲୋକେ ପ୍ରଥମେ ମାୟାଶଙ୍କରଙ୍କୁ ତାଙ୍କ କାର୍ଯ୍ୟାଳୟରେ ପିଟିଥିଲେ ଏବଂ ପରେ ତଳେ ଥିବା ଏକ ଚେୟାରରେ ବସାଇ ତାଙ୍କୁ ପିଟିଥିଲେ। ମାଡ ମାରିବା ସମୟରେ ମାୟାଶଙ୍କର କାନ ଧରି ତାଙ୍କ ଭୁଲ ପାଇଁ ବାରମ୍ବାର କ୍ଷମା ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ବାରଣାସୀ ପୋଲିସ ଏହି ମାମଲାର ତଦନ୍ତ କରୁଛି।

 

Share