Categories: ଜାତୀୟ

କେନ୍ଦ୍ର ଟାର୍ଗେଟରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ, ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ,୨।୮: ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ବିରୋଧି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ କାର୍ମିକ ବିଭାଗ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୁପାରିଶ କରିଛନ୍ତି। ସିବିଆଇ ନିର୍ଦ୍ଦେଶକ ପଦବୀରେ ଥିବାବେଳେ ସେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। କାର୍ମିକ ବିଭାଗ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ବିରୋଧରେ ପଦର ଦୂରୁପଯୋଗ କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ(ୟୁପିଏସ୍‌ସି)କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୮ରେ ସିବିଆଇର ତତ୍କାଳୀନ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଆଲୋକଙ୍କ ବିରୋଧରେ ଲାଞ୍ଚନେବା ଅଭିଯୋଗ ଆଣିଥିଲେ। ଏକ ମାମଲାକୁ ରଫାଦଫା କରିବା ଲାଗି ତାଙ୍କ ବିରୋଧରେ ୨ କୋଟି ଟଙ୍କା ଲାଞ୍ଚ ନେଇ ଅଭିଯୋଗ ହୋଇଥିଲା। ଏହା ପରେ ମଧ୍ୟ ଆସ୍ଥାନା ଆଲୋକଙ୍କ ବିରୋଧରେ ଏକାଧିକ ଲାଞ୍ଚ ନେଇଥିବା ଅଭିଯୋଗ ଆଣିଥିଲେ। ବର୍ମାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗକଚ ସରକାର ଏବେ ଗ୍ରହଣ କରିଛନ୍ତି। ପେଗାସସ ସ୍ପାଏୱେୟାର ମାଧ୍ୟମରେ ଗୁପ୍ତଚରୀ ହୋଇଥିବା ସମ୍ଭାବ୍ୟ ବ୍ୟକ୍ତିଙ୍କ ତାଲିକାରେ ଆଲୋକଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ। ଯଦି ସରକାରଙ୍କ ଦ୍ୱାରା କରାଯାଇଥିବା ଏହି ସୁପାରିଶକୁ ଗ୍ରହଣ କରାଯାଏ, ତେବେ ଆଲୋକଙ୍କ ପେନ୍‌ସନ ଏବଂ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ସୁଯୋଗ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

Share