ଅଙ୍ଗନଓ୍ବାଡି କର୍ମୀଙ୍କଠାରୁ ଲାଞ୍ଚ ନେବା ମାମଲା: ପୂର୍ବତନ ସିଡିପିଓଙ୍କୁ ୩ବର୍ଷ ଜେଲ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଅଙ୍ଗନଓ୍ବାଡ଼ି କର୍ମୀଙ୍କ ପାଣ୍ଠି ମଞ୍ଜୁର କରାଇବା ପାଇଁ ଲାଞ୍ଚ ନେବା ମାମଲାରେ ଖୋର୍ଦ୍ଧା ଜିଲା ବାଣପୁରର ପୂର୍ବତନ ସିଡିପିଓ ରାଜକୁମାରୀ ଦେଈ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାମଲାର ଚୂଡ଼ାନ୍ତ ଶୁଣାଣି କରି ଭୁବନେଶ୍ୱର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ବିଚାରପତି ସଞ୍ଜୀବ ଦୁବେ ଆଦେଶ ଦେଇଛନ୍ତି।

ସୂଚନା ମୁତାବକ, ୨୦୧୨ରେ ରାଜକୁମାରୀ ସିଡିପିଓ ଥିବାବେଳେ ବାଣପୁର ବ୍ଲକ୍‌ ଚମ୍ପାଦେଇପୁର ଗ୍ରାମର ଅଙ୍ଗନଓ୍ବାଡ଼ି କର୍ମୀ ବନ୍ଦନା ଷଡ଼ଙ୍ଗୀ ତାଙ୍କ ବିରୋଧରେ ଭୁବନେଶ୍ୱର ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଲାଞ୍ଚ ଅଭିଯୋଗ ଆଣିଥିଲେ। କୁମାରଙ୍ଗ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ବକେୟା ପାଣ୍ଠି ମଞ୍ଜୁର କରିବା ଲାଗି ରାଜକୁମାରୀ ୮୭୪୦ଟଙ୍କା ଲାଞ୍ଚ ଦାବି କରିଥିବା ସେ ଜଣାଇଥିଲେ। ଯୋଜନା ମୁତାବକ ୨୦୧୨ ଏପ୍ରିଲ୍‌ ୧୯ରେ ରାଜକୁମାରୀ ତାଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଇନ୍ସପେକ୍ଟର ହରପ୍ରିୟା ନାୟକଙ୍କ ହାତରେ ଧରାପଡି ଗିରଫ ହୋଇଥିଲେ। ଏହି ମାମଲାରେ ସମସ୍ତ ସାକ୍ଷ୍ୟ ପ୍ରମାଣ ରାଜକୁମାରୀଙ୍କ ବିରୋଧରେ ଯାଇଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଦଣ୍ଡାଦେଶ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏହି ମାମଲାକୁ ପିପି ହେମନ୍ତ କୁମାର ସ୍ବାଇଁ ପରିଚାଳନା କରୁଥିଲେ।

Share