
ଭବାନୀପାଟଣା,୧୨ା୪(ଉତ୍ତମ କୁମାର ଦାଶ): ନୂଆପଡ଼ା ଜିଲା ସିନାପାଲି ବ୍ଲକର ପୂର୍ବତନ ସିଡିପିଓ ବିଜୟା ଲକ୍ଷ୍ମୀ ମାରାଣ୍ଡି ଶୁକ୍ରବାର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ବଦ୍ରିନାରାୟଣ ନନ୍ଦ ଏହି ମାମଲାରେ ପୂର୍ବତନ ସିଡିପିଓ ମାରାଣ୍ଡିଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଜେଲ ଦଣ୍ଡାଦେଶ ସହ ୨୦ହଜାର ଟଙ୍କାର ଜରିମାନା କରିଛନ୍ତି।
ପ୍ରାପ୍ତ ସୂଚନାରୁ ପ୍ରକାଶ,ଗତ ୨୬ା୯ା୨୦୧୩ରେ ସିନାପାଲି ବ୍ଲକ ମାଣ୍ଡିଆରୁଚା ଗ୍ରାମର ସ୍ଥାନୀୟ ଏସ୍ଏଚ୍ଜି ସଭାପତି ଦ୍ରୌପଦୀ ସାହୁଙ୍କ୍ଠାରୁ ଅଙ୍ଗନଓ୍ବାଡିକୁ ଯୋଗାଣ ହେଉଥିବା ଛତୁଆ ବିଲ୍ ପାସ କରିଦେବା ପାଇଁ ସମ୍ପୃକ୍ତା ସିଡିପିଓ ମାରାଣ୍ଡି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଏହି ମାମଳାଟିକୁ ସରକାରଙ୍କ ପକ୍ଷରୁ ଭିଜିଲାନ୍ସ ପିପି ସୁଧୀର କୁମାର ପଣ୍ଡା, ଏପିପି ସରୂପ ରଞ୍ଜନ ରଥ ପରିଚାଳନା କରିଥିଲେ। ବର୍ତ୍ତମାନ ସମ୍ପୃକ୍ତା ସିଡିପିଓ ମାରାଣ୍ଡି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ କାର୍ଯ୍ୟରତ ରହିଥିବା ଜଣାପଡ଼ିଛି।