Categories: ଜାତୀୟ

ଭାରତର ସୌର ମିଶନ ‘ଆଦିତ୍ୟ-ଏଲ୍‌୧’ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କଲେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନର ପୂର୍ବତନ କମାଣ୍ଡର କ୍ରିସ ହାଡଫିଲ୍ଡ

ନୂଆଦିଲ୍ଲୀ,୨।୯: ଚନ୍ଦ୍ରପୃଷ୍ଠରେ ବିଜୟ ହାସଲ ପରେ ସୂର୍ଯ୍ୟ ନମସ୍କାର କରିବାକୁ ଯାଉଛି ଆଦିତ୍ୟ-ଏଲ୧। ଦକ୍ଷିଣ ମେରୁରେ ଚନ୍ଦ୍ରାବତରଣ କରି ଇତିହାସ ରଚିଛି ଇସ୍ରୋ। ତେବେ ପୁଣି ଇସ୍ରୋର ସୌର ମିଶନ ବିଶ୍ୱର ନଜରକୁ ନିଜ ଆଡକୁ ଟାଣି ଆଣିଛି। ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ଲଞ୍ଚ ପ୍ୟାଡରୁ ଉତ୍‌କ୍ଷେପଣ ହୋଇଛି ଆଦିତ୍ୟ- ଏଲ୧। ପ୍ରାୟ ୪ମାସ ଅର୍ଥାତ୍‌ ୧୨୭ଦିନର ଯାତ୍ରା କରି ଏହା ଲାଙ୍ଗ୍ରେସ ପଏଣ୍ଟ ୧ରେ ଅବସ୍ଥାପିତ ହେବ।

ଭାରତର ମହାକାଶ ମିଶନର ସଫଳତାକୁ ଦେଖି ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନର ପୂର୍ବତନ କମାଣ୍ଡର କ୍ରିସ ହାଡଫିଲ୍ଡ ଇସ୍ରୋକୁ ପ୍ରଶଂସା କରିଛନ୍ତି। ଏଏନଆଇର ରିପୋର୍ଟ ଅନୁଯାୟୀ, କ୍ରିସ ହାଡଫିଲ୍ଡ କହିଛନ୍ତି, ‘ମହାକାଶ ବାଣିଜ୍ୟ, ଜିପିଏସ ଉପଗ୍ରହ, ପାଣିପାଗ ଉପଗ୍ରହ, ଟେଲି ଯୋଗାଯୋଗ, ଚନ୍ଦ୍ରରେ ଅନୁସନ୍ଧାନ, ସୂର୍ଯ୍ୟଙ୍କ ଉପରେ ଅନୁସନ୍ଧାନ, ଏସବୁ ଏକ ଜୀବନକାଳର ସମୟ ସୀମାରୁ ବହୁତ କମ ସମୟ ମଧ୍ୟରେ ଘଟିଛି। ତେଣୁ ଏହା ଏକ ସ୍ପେସ ପ୍ରତିସ୍ପର୍ଦ୍ଧା ନୁହେଁ, ଏହା ସମସ୍ତଙ୍କ ପାଇଁ ମହାକାଶରେ ଅନୁସନ୍ଧାନ କରିବାକୁ ଏକ ନୂତନ ସୁଯୋଗ ଆଣିଦେଇଛି। ତେବେ ଏହି ଦୈଡରେ ଟେକ୍ନୋଲୋଜିକୁ ଆର୍ଥିକ ଦୃଷ୍ଟିରୁ ଆଗକୁ ବଢାଇବା ଓ ସ୍ପେସ ବ୍ୟବସାୟକୁ ଲାଭଦାୟକ କରିବା ପାଇଁ ପ୍ରତିଯୋଗିତା ଚାଲିଛି। ଭାରତ ପ୍ରକୃତରେ ଏହା କରିବାକୁ ଏକ ଦୃଢ ସ୍ଥିତିରେ ଅଛି’।

Share