Categories: ଖେଳ

ଏହି ପୂର୍ବତନ କ୍ରିକେଟ ଅଧିନାୟକ ହେଲେ ଦୋଷୀ ସାବ୍ୟସ୍ତ

କାଠମାଣ୍ଡୁ, ୩୦ା୧୨ ଜଣେ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗରେ ନେପାଳର ପୂର୍ବତନ କ୍ରିକେଟ ଅଧିନାୟକ ସନ୍ଦୀପ ଲାମିଚାନେଙ୍କୁ ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗତବର୍ଷ ଅଗଷ୍ଟରେ କାଠମାଣ୍ଡୁସ୍ଥିତ ଏକ ହୋଟେଲ ରୁମ୍‌ରେ ଜଣେ ୧୭ ବର୍ଷୀୟା ବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହେବାପରେ କ୍ରିକେଟର ଜଣକ ଗିରଫ ହୋଇଥିଲେ। ଗତ ଜାନୁୟାରୀରେ ନେପାଳ କୋର୍ଟ ତାଙ୍କୁ ରିଲିଜ କରିଥିଲା। ୨୩ ବର୍ଷୀୟ ଲାମିଚାନେ ହେଉଛନ୍ତି ନେପାଳର ସବୁଠାରୁ ବଡ଼ ହାଇପ୍ରୋଫାଇଲ କ୍ରିକେଟର। ନେପାଳର ପ୍ରଥମ କ୍ରିକେଟର ଭାବେ ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିଛନ୍ତି। ୨୦୧୮ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳିଥିଲେ। କେବଳ ଆଇପିଏଲ୍‌ ନୁହେଁ ସେ ବିଶ୍ୱବ୍ୟାପୀ ଅନ୍ୟ ଟି୨୦ ଲିଗ୍‌ ଯଥା ଅଷ୍ଟ୍ରେଲିଆରେ ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌), ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଓ କାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ମଧ୍ୟ ଖେଳିଛନ୍ତି। ଜଜ୍‌ ଶିଶିର ରାଜ ଧକାଲଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଦ୍ୱାରା ରବିବାରଠାରୁ ଆରମ୍ଭ ହୋଇଥିବା ଏହି ମାମଲାର ଶୁଣାଣି ଶୁକ୍ରବାର ଶେଷ ହୋଇଛି। କାଠମାଣ୍ଡୁ ଜିଲା କୋର୍ଟ ଶୁକ୍ରବାର ବଳାତ୍କାର ମାମଲାରେ ଲାମିଚାନେଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ତାଙ୍କୁ କେତେବର୍ଷ ଜେଲ ଦଣ୍ଡ ହେବ ତାହା ପରବର୍ତ୍ତୀ ଶୁଣାଣିରେ ସ୍ଥିର ହେବ। ଲାମିଚାନେ ବର୍ତ୍ତମାନ ଜାମିନରେ ଅଛନ୍ତି। ପାଟାନ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି କ୍ରିକେଟର ଜଣକ ଖଲାସ ହୋଇଛନ୍ତି।

Share