କ୍ରିକେଟ ଏବଂ ଫିଲ୍ମ ଦୁନିଆ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି। ଅଜୟ ଜାଡେଜା ଏବଂ ହରଭଜନ ସିଂହଙ୍କ ଭଳି କ୍ରିକେଟରମାନେ ଅଭିନେତା ହେବାକୁ ଚେଷ୍ଟା କରିସାରିଛନ୍ତି। ସେହିପରି ସୁନୀଲ ଶେଟ୍ଟୀ, ସୋହେଲ ଖାନ, ଅଫତାବ ଶିବଦାସାନି ଭଳି କଳାକାରମାନେ ମଧ୍ୟ କ୍ରିକେଟ ଖେଳି ସାରିଛନ୍ତି। ଠିକ୍ ସେହିପରି ସଲିଲ ଆଙ୍କୋଲା ମଧ୍ୟ ଏହି ଦୁଇଟଇ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିସାରିଛନ୍ତି।
ସଲିଲ ପ୍ରଥମେ ଜଣେ କ୍ରିକେଟର ଥିଲେ, ପରେ ଅଭିନେତା ହେଲେ। ଏବେ ପୁଣିଥରେ କ୍ରିକେଟରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ହେଲେ ଏବେ ସେ ବଲ କିମ୍ବା ବ୍ୟାଟ୍ ସହ କ୍ରିକେଟ ପଡ଼ିଆକୁ ଓହ୍ଲାଉ ନାହାନ୍ତି ବରଂ ତାଙ୍କୁ ମୁମ୍ବାଇ ରଣଜୀ ଟ୍ରଫିର ନିର୍ବାଚନ କମିଟିର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଏହାକୁ ନେଇ ସଲିଲ ବହୁତ ଖୁସି ମଧ୍ୟ ଅଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ୨୦ ବର୍ଷ ଧରି ଅଭିନୟ କରିଛି, କିନ୍ତୁ ସବୁବେଳେ ମନରେ ଏକ ଅଭାବ ରହିଗଲାପରି ମନେ ହୁଏ। ଆହୁରି ମଧ୍ୟ ସେ କହିଥିଲେ ଯେ, ତାଙ୍କର ପ୍ରଥମ ପ୍ରେମ କ୍ରିକେଟ ଥିଲା ଏବଂ ସେ ଏହାକୁ ସବୁବେଳେ ମନେ ମଧ୍ୟ ପକାନ୍ତି ।