Categories: ଖେଳ

ପୂର୍ବତନ କ୍ରିକେଟର ସଞ୍ଜୟ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର, ୧୭।୫(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପୂର୍ବତନ କ୍ରିକେଟର ସଞ୍ଜୟ ଶତପଥୀଙ୍କର ସୋମବାର ମଧ୍ୟରାତ୍ରରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ପେସାରେ ଜଣେ ଡାକ୍ତର ଥିବା ସଞ୍ଜୟ ୧୯୬୫-୬୬ରୁ ୧୯୭୫-୭୬ ମଧ୍ୟରେ ଓଡ଼ିଶା ପକ୍ଷରୁ ୨୩ଟି ପ୍ରଥମଶ୍ରେଣୀ କ୍ରିକେଟ ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ। ସେ ଜଣେ ଅଲ୍‌ରାଉଣ୍ଡର ଥିଲେ। ୧୯୫୦ ଜାନୁୟାରୀ ୧ରେ ଜନ୍ମିତ ସଞ୍ଜୟଙ୍କ ଘର ବାରିପଦାରେ। ମାତ୍ର ସେ ପରବର୍ତ୍ତୀ ସମୟରେ ଭୁବନେଶ୍ୱର ପଟିଆରେ ରହୁଥିଲେ। ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟଧରି ସେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଜଣେ ଫିଜିସିଆନଭାବେ କାର୍ଯ୍ୟରତ ଥିଲେ। ଭୁବନେଶ୍ୱର ଆୟୁଷ ହସ୍ପିଟାଲରେ ମଧ୍ୟ ସେ ଜଣେ ପରାମର୍ଶଦାତାଭାବେ କାର୍ଯ୍ୟ କରିଥିଲେ। ଖେଳ ଜୀବନରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଶା ରଣଜୀ, ସେଲ୍‌ ଏବଂ ଇଷ୍ଟଜୋନ୍‌ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୨୩ଟି ପ୍ରଥମଶ୍ରେଣୀ ମ୍ୟାଚର ୪୨ଟି ଇନିଂସରୁ ସେ ୨୬୫ ରନ ସ୍କୋର କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ଥିଲା ୪୯*। ସେହିପରି ସେ ୨୨୭୦ ବଲ୍‌ ବୋଲିଂକରି ୧୨୫୦ ରନ ବିନିମୟରେ ୩୭ଟି ଉଇକେଟ ନେଇଥିଲେ। ୧୯୬୫ ଡିସେମ୍ବର ୧୮ରୁ ୨୦ ପର୍ଯ୍ୟନ୍ତ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ବେଙ୍ଗଲ ବିପକ୍ଷରେ ସେ ୮୯ ରନ ବିନିମୟରେ ୬ ଉଇକେଟ ସଫଳତା ପାଇଥିଲେ। ୬/୮୯ ହିଁ ଥିଲା ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର। ଥରେ ସେ ୫ ଉଇକେଟ ସଫଳତା ପାଇଥିଲେ। ପ୍ରଥମଶ୍ରେଣୀ କ୍ରିକେଟ କ୍ୟାରିୟର ମଧ୍ୟରେ ସେ ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଦଳ ବିପକ୍ଷରେ ମଧ୍ୟ ଖେଳିବା ସୁଯୋଗ ପାଇଥିଲେ। ୧୯୭୫ ଜାନୁୟାରୀ ୪ରୁ ୬ ପର୍ଯ୍ୟନ୍ତ ସେ କଟକରେ ଓ୍ବେଷ୍ଟଇଣ୍ଡିଜ ଏବଂ ନଭେମ୍ବର ୨୩ରୁ ୨୫ ପର୍ଯ୍ୟନ୍ତ କୋଲକାତାର ଇଡେନ ଗାର୍ଡେନ୍ସରେ ଶ୍ରୀଲଙ୍କା ବିପକ୍ଷରେ ୩ ଦିନିଆ ମ୍ୟାଚ ଖେଳିଥିଲେ। ଏହି ଦୁଇଟି ମ୍ୟାଚରେ ସେ ଇଷ୍ଟଜୋନ୍‌ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସଞ୍ଜୟଙ୍କ ଭାଇ ଶାନ୍ତନୁ ଶତପଥୀ ମଧ୍ୟ ଜଣେ ଦକ୍ଷ କ୍ରିକେଟର ଥିଲେ। ସଞ୍ଜୟଙ୍କ ପରଲୋକରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

Share