Categories: ଖେଳ

ଟିମ୍‌ ଇଣ୍ଡିଆକୁ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ଶ୍ରୀଲଙ୍କା ଦିନିକିଆ ସିରିଜରୁ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରାଙ୍କୁ ଅନଫିଟ୍‌ କାରଣରୁ ବାଦ ଦିଆଯାଇଛି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଚୟନ ହେବା ପରେ ବୁମ୍‌ରାଙ୍କୁ ସାମିଲ କରାଯାଇଥିଲା। ତେବେ ଏହା ପରେ ସେ ଆହତ ହୋଇଥିଲେ ଏବଂ ଦଳ ପରିଚାଳନା ତାଙ୍କୁ ଦଳରୁ ବାଦ୍‌ ଦେଇଥିଲା। ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ ପରଠାରୁ ବୁମରା ଆହତ କାରଣରୁ ଦଳରୁ ବାଦ୍‌ ପଡୁଛନ୍ତି। ଭାରତୀୟ ଦଳରେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଭାରତର ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ବୁମ୍‌ରା ପାଇଁ ଚିନ୍ତିତ ଅଛନ୍ତି। ଆକାଶ କହିଛନ୍ତି, ବୁମ୍‌ରା ସେପ୍ଟେମ୍ବରରୁ କ୍ରିକେଟ ଖେଳି ନ ଥିବାରୁ ମୁଁ ଟିକେ ଚିନ୍ତିତ। ବୋଧହୁଏ ଟିମ ଇଣ୍ଡିଆ ବୁମ୍‌ରାଙ୍କ ବିନା ସମସ୍ତ ପ୍ରକାର ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିବାର ସମୟ ଆସିଛି। ଶ୍ରୀଲଙ୍କା ସିରିଜ ପାଇଁ ବୁମ୍‌ରା ଦଳରେ ସାମିଲ ହୋଇଥିଲେ ଏବଂ ଆହତ ଯୋଗୁ ତାଙ୍କୁ ପୁଣି ବାଦ୍‌ ଦିଆଯାଇଥିଲା। ଏହା ଏକ ଭଲ ଲକ୍ଷଣ ନୁହେଁ। କାରଣ ଏହା ବିଶ୍ୱକପ ବର୍ଷ। ତେଣୁ ତାଙ୍କୁ ବାଦ୍‌ ଦେଇ ଆଗକୁ ପ୍ରସ୍ତୁତି କରିବାକୁ ପଡିବ। ବୁମରାଙ୍କ ପରି ବୋଲର ମିଳିବା କଷ୍ଟକର। ଉମରାନ ମଲିକ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମି ଦିନିକିଆରେ ଭଲ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କୁ ଅଧିକ ସୁଯୋଗ ଦିଆଯିବା ଆବଶ୍ୟକ।

Share