ପରଲୋକରେ ପୂର୍ବତନ କ୍ରିକେଟର ୟଶପାଲ

ନୂଆଦିଲ୍ଲୀ,୧୩।୭: ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ର ବିଶ୍ୱ ବିଜେତା ଟିମ୍‌ର ସଦସ୍ୟ ରହିଥିବା ୟଶପାଲ ଶର୍ମାଙ୍କ ପରଲୋକ ଘଟିଛି। ମଙ୍ଗଳବାର ସକାଳେ ୭ଟା ୪୦ରେ ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ବର୍ଷ ହୋଇଥିଲା। ସକାଳୁ ମର୍ନିଂ ଓ୍ବାକ୍‌ରୁ ଆସିବା ପରେ ୟଶପାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। ୧୯୫୪ ଅଗଷ୍ଟ ୧୧ରେ ପଞ୍ଜାବର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ ୟଶପାଲ। ୧୯୭୯ରେ ଲଡର୍‌ସରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ୟଶପାଲ ଡେବ୍ୟୁ କରିଥିବା ବେଳେ ୧୯୮୩ରେ ଖେଳାଯାଇଥିବା ମ୍ୟାଚ୍‌ ତାଙ୍କର ଶେଷ ଏକଦିବସୀୟ ରହିଥିଲା। ସେହିପରି ୧୯୭୮ରେ ସେ ଓ୍ବାନ ଡେ’ରେ ଡେବ୍ୟୁ କରିଥିବା ବେଳେ ୧୯୮୫ର ଓ୍ବାନ ଡେ’ ମ୍ୟାଚ୍‌କୁ ସେ ଶେଷଥର ପାଇଁ ଖେଳିଥିଲେ। ଅନ୍ୟପଟେ ୧୯୮୩ରେ ବିଶ୍ୱକପ୍‌ ଜିତିଥିବା ଭାରତୀୟ କ୍ରିକେଟ ଟିମ୍‌ରେ ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିଥିଲେ। ଏହି ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ୟଶପାଲ ଶର୍ମା ୮୯ ରନ୍‌ କରି ଚମତ୍କାର ଇନିଂସ କରିଥିଲେ। ଯେଉଁଥିରେ ଟିମ୍‌ ଇଣ୍ଡିଆ ବିଜୟୀ ଲାଭ କରିଥିଲା। ଏତଦ୍‌ ବ୍ୟତୀତ ସେମିଫାଇନାଲରେ ବି ୟଶପାଲ ୬୨ ରନ୍‌ କରି ଭାରତକୁ ଜିତାଇବା ସହ ଇଂଲଣ୍ଡକୁ ପରାସ୍ତ କରିଥିଲେ। ପରେ ଖରାପ୍‌ ପ୍ରଦର୍ଶନ ଯୋଗୁ ୟଶପାଲଙ୍କୁ ଟେଷ୍ଟ ମ୍ୟାଚ୍‌ରୁ ବାହାର କରିଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେ ଆଉ ଓ୍ବାନ ଡେ’କୁ ମଧ୍ୟ ଫେରି ନ ଥିଲେ। ୟଶପାଲ ଭାରତ ପାଇଁ ମୋଟ ୩୭ ଟେଷ୍ଟ ଖେଳିଛନ୍ତି। ଯେଉଁଥିରେ ସେ ୩୪ରନ୍‌ ହାରରେ ମୋଟ ୧୬୦୬ ରନ୍‌ ସଂଗ୍ରହ କରିଥିଲେ। ଅନ୍ୟପଟେ ୪୨ଟି ଓ୍ବାନ ଡେ’ ମ୍ୟାଚ୍‌ରେ ୟଶପାଲ ୮୮୩ ରନ୍‌ କରିବାରେ ସକ୍ଷମ ହୋଇଥିଲେ।

Share