ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ: ଦୁଇ ବାଇକ୍‌ ସମେତ ଗୋଟିଏ ମାରୁତି ଜାଳିଦେଲେ ଆକ୍ରମଣକାରୀ

ବାଲେଶ୍ୱର ଅଫିସ,୨୪ା୫: ବାଲେଶ୍ୱର ଜିଲା ଖଇରା ବ୍ଲକ ତୁଟ ଗ୍ରାମର କୈଳାସ ଜେନାଙ୍କ ସହିତ ସେହି ଗ୍ରାମର ଶଙ୍କର୍ଷଣ ଜେନା ଓ ବଂଶୀଧର ଜେନାଙ୍କ ସହିତ ଦୀର୍ଘ ଦିନ ଧରି ଶତ୍ରୁତା ଲାଗି ରହିଥିଲା। ଆଗରୁ ଅନେକ ଥର ଗଣ୍ଡଗୋଳକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା। ରବିବାର ବିଳମ୍ବିତ ରାତିରେ ବଂଶୀଧର ଓ ଶଙ୍କର୍ଷଣଙ୍କ ସହିତ ଅନ୍ୟ କିଛି ଲୋକ ହଠାତ୍‌ କୈଳାସଙ୍କ ଘରେ ପଶି ଭୁଜାଲିରେ ଆକ୍ରମଣ କରିବା ସହିତ ଦୁଇଟି ବାଇକ୍‌ ଓ ମାରୁତିରେ ନିଆଁ ଲଗାଇ ଜାଳିଦେଇଥିବା ଅଭିଯୋଗ ହୋଇଛି। ପରେ ଭୁଜାଲିରେ ଗୋଡ଼ାଇବାରୁ କୈଳାସଙ୍କ ପରିବାର ଲୋକେ ଘର ଛାଡ଼ି ବାହାରକୁ ଚାଲିଆସିଥିବା ବେଳେ କୈଳାସ ସମ୍ପର୍କୀୟ ମନୋଜ କୁମାର ଜେନାଙ୍କର ଭୁଜାଲି ଆକ୍ରମଣରେ ଗୁରୁତର ଥିବା ଜଣାପଡ଼ିଛି। ଏନେଇ ଖଇରା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।