ପୂର୍ବତନ ସ୍ବାଧୀନ ବିଧାୟକ କପିଳ ନାରାୟଣଙ୍କ ପରଲୋକ

ନୂଆପଡ଼ା ଅଫିସ/ଖଡ଼ିଆଳ, ୨୨।୯(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ସ୍ବାଧୀନ ବିଧାୟକ କପିଳ ନାରାୟଣ ତିୱାରୀଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୩ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ଯୋଗୁ ଗତ କିଛିଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମରଶରୀର ଏକ ଶୋଭାଯାତ୍ରାରେ ଖଡ଼ିଆଳ ଗାୟତ୍ରୀ ନଗରଠାରୁ ବାହାରି ତାଙ୍କ ପୈତୃକ ସ୍ଥାନ ୱାର୍ଡ ନମ୍ବର ୩ ପଟ୍ଟନାୟକପଡା ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରାରେ ଅଞ୍ଚଳର ହଜାର ହଜାର ଲୋକ ତାଙ୍କ ଶେଷ ଦର୍ଶନ କରିଥିଲେ। ପରେ ହିନ୍ଦୁ ରୀତିନୀତିରେ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଛପଟେ ଥିବା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ପୁତୁରା ପଙ୍କଜ ତିୱାରୀ ମୁଖାଗ୍ନି ଦେଇଥିଲେ। ମନୋଜ ତିୱାରୀ, ନିରୁ ତିୱାରୀ, ବାବୁଲୁ ତିୱାରୀଙ୍କ ସହ ବନ୍ଧୁପରିଜନ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ଖଡିଆଳ ଅତିରିକ୍ତ ତହସିଲଦାର ଭୂପେନ୍ଦ୍ର ସିଂ ଉପସ୍ଥିତ ଥିଲେ। ସ୍ବର୍ଗତ ବିଧାୟକ ନାରାୟଣଙ୍କ ୨ ଝିଅ ଜଣେ କଟକ ଓ ଅନ୍ୟ ଜଣେ ମୁମ୍ବାଇରେ ରହୁଥିବାରୁ ତାଙ୍କ ପୁତୁରାମାନେ ସବୁ କାର୍ଯ୍ୟ ତୁଲାଉଛନ୍ତି।

୧୯୨୯ ଜୁନ ୧୪ରେ ଖଡ଼ିଆଳିରେ କପିଳ ନାରାୟଣ ତିୱାରୀ ଜନ୍ମ ଗ୍ରହଣ କରିଥିଲେ। ୧୯୭୭ ଜୁନ ୨୬ରେ ଖଡିଆଳ ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ସ୍କୁଲରେ ଅଧ୍ୟୟନ କରିବା ସମୟରୁ ଜନସେବାରେ ଲିପ୍ତ ଥିଲେ। ଗରିବ, ଅସହାୟ, ପଛୁଆବର୍ଗଙ୍କ ସେବା କରିବାରେ ସେ ସମାଜବାଦୀ ନେତା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ପଶ୍ଚିମ ଓଡ଼ିଶାର ସଂଗ୍ରାମୀ ନେତା ଭାବେ ବେଶ ପରିଚିତ ଥିଲେ। ୧୯୬୫ରେ ଅବିଭକ୍ତ କଳାହାଣ୍ଡି ଜିଲା ଚିରମରୁଡି ସମୟରେ ଲୋକଙ୍କୁ ପାଣି ମୁନ୍ଦାଏ ମିଳିବା କଷ୍ଟକର ଥିଲା। ସେହି ସମୟରେ କଳାହାଣ୍ଡି ସଂଗ୍ରାମୀ ବାର୍ତ୍ତା ରୂପେ ପାଏନ, ପୁଆଳ, ପଖାଳ ଦେ, ନାହିଁ ହେଲେ ଗାନ୍ଧୀବାଦୀ ଛାଡି ଦେ ବୋଲି ଗାଁ ଗାଁ ବୁଲି ନାରା ଦେଇ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଜିଲାର ପିଲା ବିକ୍ରି, ଅନାହାର ମୃତ୍ୟୁ କଥା ବିଶ୍ୱ ଦରବାରକୁ ପହଞ୍ଚାଇବାର ମୁଖ୍ୟ ନାୟକ ଥିଲେ।

Share