ଗାଜିଆବାଦ୍, ୬।୨:ପୂର୍ବତନ ଟିମ ଇଣ୍ଡିଆ ଅଲରାଉଣ୍ଡର ସୁରେଶ ରାଇନାଙ୍କ ପିତା ତ୍ରିଲୋକଚାନ୍ଦ ରାଇନାଙ୍କ ରବିବାର ଗାଜିଆବାଦସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି କ୍ୟାନ୍ସର୍ ରୋଗରେ ପୀଡିତ ଥିଲେ। ତ୍ରିଲୋଚାନ୍ଦ ରାଇନା ଜଣେ ସୈନିକ ଥିଲେ। ସେ ଅର୍ଡାନ୍ସ ଫ୍ୟାକ୍ଟ୍ରିରେ ବୋମା ତିଆରି କରିବାରେ ପାରଦର୍ଶୀ ଥିଲେ। ତ୍ରିଲୋକଚାନ୍ଦ କଶ୍ମୀରର ‘ରାଇନାୱାଡି ଗାଁ’ର ବାସିନ୍ଦା ଥିଲେ। ଏହା ତାଙ୍କର ଜନ୍ମ ଗାଁ ଥିଲା।
୧୯୯୦ ଦଶକରେ ରାଜ୍ୟରେ କଶ୍ମୀରୀ ପଣ୍ଡିତମାନଙ୍କୁ ହତ୍ୟା କରାଯିବା ଆରମ୍ଭ ହୋଇଥିଲା, ତ୍ରିଲୋକଚାନ୍ଦ ତାଙ୍କ ପରିବାର ସହିତ ଗାଁ ଛାଡିଥିଲେ। ଏହା ପରେ ସେ ନିଜ ପରିବାର ସହିତ ମୁରାଦନଗରରେ ବସବାସ କଲେ। ତାଙ୍କ ପୈତୃକ ଘର, ଗାଁ ଏବଂ ଜମି ଛାଡିଥିବା ତ୍ରିଲୋକଚାନ୍ଦ ରାଇନାଙ୍କ ପୁଅ ସୁରେଶ ରାଇନାଙ୍କ କ୍ରିକେଟ କୋଚିଂ ଫି’ ଦେବାକୁ ମଧ୍ୟ ଟଙ୍କା ନ ଥିଲା। ସେ କୌଣସି ପ୍ରକାରେ ରାଇନାଙ୍କୁ ଲକ୍ଷ୍ନୌର ଗୁରୁ ଗୋବିନ୍ଦ ସିଂ ସ୍ପୋର୍ଟସ କଲେଜରେ ଭର୍ତ୍ତି କରିଥିଲେ।