Categories: ଖେଳ

ଅକ୍‌ଶନ ପାଇଁ ପଞ୍ଜିକୃତ ଖେଳାଳିଙ୍କ ତାଲିକାରେ ଶ୍ରୀସାନ୍ଥ

ନୂଆଦିଲ୍ଲୀ,୨୩।୧: ଲକ୍ଷ୍ନୌ ଓ ଅହମ୍ମଦାବାଦ ଫ୍ରାଞ୍ଚାଇଜ ସେମାନଙ୍କ ଖେଳାଳିଙ୍କ ନାମ ସ୍ପଷ୍ଟ କରିବା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପକ୍ଷରୁ ଚଳିତ ବର୍ଷ ହେବାକୁ ଥିବା ମେଗା ଅକ୍‌ଶନ ଲାଗି ପଞ୍ଜିକୃତ କରିଥିବା ମୋଟ ୧୨୧୪ ଖେଳାଳିଙ୍କ ନାମ ପ୍ରକାଶ କରିଛି। ଏହି ତାଲିକାରେ ରହିଛି ପୂର୍ବତନ ଭାରତୀୟ ତଥା କେରଳ ପେସର ଏସ୍‌. ଶ୍ରୀସାନ୍ଥ।

ଉଲ୍ଲେଖଯୋଗ୍ୟ, ଶ୍ରୀସାନ୍ଥ ଅନ୍ତିମ ଥର ୨୦୧୩ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ। ସେହିବର୍ଷ ସ୍ପଟ୍‌ ଫିକ୍ସିଂ ସ୍କାଣ୍ଡାଲରେ ସମ୍ପୃକ୍ତି ନେଇ ଅଭିଯୋଗ ଆସିବା ପରେ ତାଙ୍କୁ ବିସିସିଆଇ ବ୍ୟାନ କରିଥିଲା। ୨୦୧୯ରେ ବିସିସିଆଇର ଓମ୍ବୁଡସମ୍ୟାନ ଶ୍ରୀସାନ୍ଥଙ୍କ ବାସନ୍ଦାଦେଶକୁ ୭ ବର୍ଷରେ ସୀମିତ ରଖିଥିଲେ। ଫଳରେ ୨୦୨୦ ସେପ୍ଟେମ୍ବରରେ ପେଶାଦାର କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ୨୦୦୭ ଓ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ।

ବ୍ୟାନ ହେବା ପୂର୍ବରୁ ଶ୍ରୀସାନ୍ଥ ବିଭିନ୍ନ ଫ୍ରାଞ୍ଚାଇଜ ପାଇଁ ୪୪ ମ୍ୟାଚ୍‌ ଖେଳି ୪୪ ଉଇକେଟ ନେଇଥିଲେ। ରାଜସ୍ଥାନ ବ୍ୟତୀତ କୋଚି ଟସ୍କର୍ସ କେରଲା ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ପ୍ରତିନିଧିତ୍ୱ କରିଥିଲେ। କୌତୁହଳର ବିଷୟ ଯେ, ଚଳିତ ବର୍ଷ ବିଜୟ ହଜାରେ ଟ୍ରଫିରେ କେରଳ ପେସର ୬ ଇନିଂସରେ ୨୪.୩୮ ହାରରେ ହାତେଇଥିଲେ ୧୩ ଉଇକେଟ। ତେବେ ମେଗା ଅକ୍‌ଶନ ଲାଗି ଶ୍ରୀସାନ୍ଥଙ୍କୁ ୫୦ ଲକ୍ଷ ଟଙ୍କାର ବେସ ପ୍ରାଇସ୍‌ ତାଲିକାରେ ସାମିଲ କରାଯାଇଛି।

Share