କୋଚି, ୧୦।୧୦: ୧୯ ବର୍ଷରୁ କମ୍ ଭାରତୀୟ ଦଳର ପୂର୍ବତନ ସଦସ୍ୟ ତଥା କେରଳ ରଣ୍ଜୀ ଟ୍ରଫି ଖେଳାଳି ଏମ୍. ସୁରେଶ କୁମାରଙ୍କ ବିୟୋଗ ଘଟିଛି। ୪୭ ବର୍ଷ ବୟସରେ ସୁରେଶ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ସୁରେଶଙ୍କ ଘରୁ ପୋଲିସ ସୁଇସାଇଡ୍ ନୋଟ୍ ଜବତ କରିବା ସହ ତାଙ୍କ ଶବ ମଧ୍ୟ ଉଦ୍ଧାର କରିଛି। ଅଲ୍ରାଉଣ୍ଡର ଭାବେ ପରିଚିତି ଲାଭ କରିଥିବା ସୁରେଶ କୁମାର ୧୯୯୨-୯୩ ସିଜନରେ କେରଳ ପକ୍ଷରୁ ରଣ୍ଜୀ ଟ୍ରଫି ପଦାର୍ପଣ କରିଥିଲେ। ସେହିବର୍ଷ ସେ ଭାରତୀୟ ୧୯ ବର୍ଷରୁ କମ୍ ଦଳରେ ସ୍ଥାନ ପାଇଥିଲେ। ସୁରେଶ ୨୦୦୫-୦୬ ପର୍ଯ୍ୟନ୍ତ ୭୨ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ଏଥିମଧ୍ୟରେ ସେ ୧,୬୫୭ ରନ୍ ସଂଗ୍ରହ କରିବା ସହିତ ଓ ୧୯୬ ଉଇକେଟ ହାସଲ କରିଥିଲେ। ତେବେ କେବେମଧ୍ୟ ଭାରତୀୟ ସିନିୟର ପକ୍ଷରୁ ଖେଳିବାକୁ ସେ କେବେ ସୁଯୋଗ ପାଇ ନ ଥିଲେ। ରେଲ୍ଓ୍ବରେ କାର୍ଯ୍ୟରତ ଥିବା ସୁରେଶ ରେଲ୍ଓ୍ବେ ପାଇଁ ମଧ୍ୟ ୧୭ ମ୍ୟାଚ୍ ଖେଳିଛନ୍ତିି। ସେହିଭଳି ଦୁଲୀପ୍ ଟ୍ରଫିରେ ସାଉଥ୍ ଜୋନ୍ ଓ ସେଣ୍ଟ୍ରାଲ ଜୋନ୍ ମଧ୍ୟରୁ ମଧ୍ୟ ସେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍ ସୁରେଶଙ୍କ ବୋଲିଂକୁ ବେଶ୍ ତାରିଫ କରିଥିଲେ।