Categories: ଖେଳ

ଏହି ପୂର୍ବତନ ଭାରତୀୟ କ୍ରିକେଟର୍‌ଙ୍କ ସ୍ତ୍ରୀଙ୍କୁ କରୋନା

କୋଲକାତା, ୧୧।୭- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ଲକ୍ଷ୍ମୀରତନ ଶୁକ୍ଳାଙ୍କ ସ୍ତ୍ରୀ ସ୍ମିତା ସନ୍ୟାଲ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସ୍ମିତା ବର୍ତ୍ତମାନ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡେପୁଟି ସେକ୍ରେଟାରୀ ରହିଛନ୍ତି। ଯେତେବେଳେ କି ତାଙ୍କ ସ୍ବାମୀ ତଥା ଲକ୍ଷ୍ମୀରତନ ବର୍ତ୍ତମାନ ପଶ୍ଚିମବଙ୍ଗ ସରକାରରେ କ୍ରୀଡ଼ା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ସ୍ତ୍ରୀଙ୍କୁ କରୋନା ହୋଇଥିବା ନେଇ ଲକ୍ଷ୍ମୀରତନ ନିଜେ ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ‘ହଁ ମୋ ସ୍ତ୍ରୀ ସ୍ମିତାଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି। ତାଙ୍କୁ ସାମାନ୍ୟ ଜ୍ୱର ହୋଇଛି ଏବଂ ସେ ମେଡିସନ ଖାଉଛନ୍ତି। ମୁଁ, ମୋର ଦୁଇ ପୁଅ ଏବଂ ବୃଦ୍ଧ ବାପା ସମସ୍ତେ ଘରେ କ୍ୱାରାଣ୍ଟାଇନରେ ରହିଛୁ। ଗୁରୁବାର ମଧ୍ୟ ଆମେ ନିଜର ଟେଷ୍ଟ କରାଇଥିଲୁ’ ବୋଲି ଶୁକ୍ଳା କହିଛନ୍ତି। ୧୯୯୯ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଲକ୍ଷ୍ମୀରତନ ଭାରତ ପକ୍ଷରୁ ମାତ୍ର ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି। ସେହିଭଳି ବେଙ୍ଗଲ ରଣ୍‌ଜୀ ଦଳର ନେତୃତ୍ୱ ନେଇଥିବା ଏହି ଅଲ୍‌ରାଉଣ୍ଡର ୧୦୦ରୁ ଊର୍ଦ୍ଧ୍ୱ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି। ୨୦୧୫ରେ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିବା ଶୁକ୍ଳା ପରେ ରାଜନୀତିରେ ପାଦ ଥାପିଥିଲେ। ୨୦୧୬ରେ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଟିକେଟ୍‌ରୁ ଉତ୍ତର ହାଓ୍ବଡା ଆସନରୁ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ତାଙ୍କୁ ମମତା ବାନାର୍ଜୀଙ୍କ ସରକାରରେ କ୍ରୀଡ଼ା ଏବଂ ଯୁବ ବିଭାଗ ମନ୍ତ୍ରୀ ପଦ ମିଳିଥିଲା।

Share