ରାହୁଲଙ୍କୁ ଧମକ ଦେଲେ ଲଳିତ ମୋଦି

ନୂଆଦିଲ୍ଲୀ/ଲଣ୍ଡନ,୩୦।୩: ମୋଦି ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ବିରୋଧ କରିଛନ୍ତି ଆଇପିଏଲ୍‌ର ପୂର୍ବତନ ମୁଖ୍ୟ ଲଳିତ ମୋଦି। ସେ ଇଂଲଣ୍ଡର ଅଦାଲତରେ ମାମଲା ରୁଜୁ କରିବେ ବୋଲି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଲଳିତ ମୋଦି ଟୁଇଟ୍‌ ଯୋଗେ କହିଛନ୍ତି, ମୁଁ ବିଚାର ବ୍ୟବସ୍ଥାର ପଳାତକ ବୋଲି ସାଧାରଣ ଜନତା ଓ ଗାନ୍ଧୀଙ୍କ ସହଯୋଗୀମାନେ ବାରମ୍ବାର କହୁଛନ୍ତି। କେଉଁ ଦୃଷ୍ଟିରୁ ମୁଁ ପଳାତକ? ମୁଁ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇନାହିଁ।
ଅନେକ କଂଗ୍ରେସ ନେତାଙ୍କର ବିଦେଶରେ ସମ୍ପତ୍ତି ଥିବା ଲଳିତ ମୋଦି ଅଭିଯୋଗ କରିଛନ୍ତି। ଏସବୁର ପ୍ରମାଣ ସେ କୋର୍ଟକୁ ଯୋଗାଇ ଦେଇପାରିବେ। ଗାନ୍ଧୀ ପରିବାରଠାରୁ ତାଙ୍କ ପରିବାର ଭାରତ ପାଇଁ ବହୁତ କିଛି ଅଧିକ କରିଛି। ଅଭିଯୋଗକୁ ସତ୍ୟ ପ୍ରମାଣିତ କରିବା ଲାଗି ରାହୁଲଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଲଳିତ ମୋଦି। ଆଇପିଏଲ୍‌ରେ ଅର୍ଥ ହେରଫେର ମାମଲାରେ ୨୦୧୦ରୁ ଭାରତ ଛାଡ଼ି ଲଳିତ ମୋଦି ଲଣ୍ଡନରେ ଅଛନ୍ତି।
୨୦୧୯ ଲୋକ ସଭା ନିର୍ବାଚନ ବେଳେ କର୍ନାଟକର କୋଲାରରେ ଏକ ରାଲିରେ ପ୍ରଚାର ବେଳେ ରାହୁଲ ମୋଦି ସରନେମ ବା ଉପନାମକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସବୁ ‘ମୋଦି’ ଚୋର ବୋଲି ମନ୍ତବ୍ୟ ଦେଇଥିଲେ ରାହୁଲ। ଏହାକୁ ନେଇ ଭାଜପା ବିଧାୟକ ତଥା ତତ୍କାଳୀନ ପୂର୍ଣ୍ଣେସ୍‌ ମୋଦି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଇପିସିର ଧାରା ୪୯୯, ୫୦୦ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଅପରାଧ ପଞ୍ଜୀକୃତ ହୋଇଥିଲା। ଏହି ମାମଲାରେ ସୁରତ ଜିଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

Share