Categories: ଖେଳ

ପୂର୍ବତନ ଜୁନିୟର ଷ୍ଟାର ହକି ଖେଳାଳିଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୪ା୬ (ପି.ଟି.): ଭାରତର ପୂର୍ବତନ ଜୁନିୟର ଷ୍ଟାର ହକି ଖେଳାଳି ରାଜୀବ ମିଶ୍ରଙ୍କ ୪୫ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ତାଙ୍କ ସ୍ତ୍ରୀ ଓ ଦୁଇଟି ପିଲାକୁ ଛାଡ଼ି ଚାଲିଯାଇଛନ୍ତି। ବୁଧବାର ବାରଣାସୀର ସର୍ସାଉଲି ଅଞ୍ଚଳରେ ରହିଥିବା ରାଜୀବଙ୍କ ବାସଭବନରୁ ରହସ୍ୟଜନକ ଭାବେ ତାଙ୍କ ମରଶରୀରକୁ ଠାବ କରାଯାଇଥିଲା। ଘରୁ ପଚା ଗନ୍ଧ ଆସିବା ପରେ ତାଙ୍କ ପଡୋଶୀ ପୋଲିସକୁ ଖବର ଦେଇଥିଲେ। ତେଣୁ କିଛିଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ରାଜୀବ ବାରଣାସୀସ୍ଥିତ ନର୍ଦର୍ନ ରେଲଓ୍ବେର ଲକ୍ଷ୍ନୌ ଡିଭିଜନରେ ଜଣେ ଚିଫ ଇନ୍ସପେକ୍ଟର ଅଫ୍‌ ଟିକେଟ (ସିଆଇଟି)ଭାବେ କାର୍ଯ୍ୟରତ ଥିଲେ। ସେ ଏକାକି ରହି ଆସୁଥିଲେ। ବିହାର ରାଜ୍ୟର ହାଜିପୁର ଅନ୍ତର୍ଗତ ଲିଲୁଲାଦାବେତ୍‌ ଗ୍ରାମର ରାଜୀବଙ୍କ ପିଲାଦିନର କୋଚ୍‌ ପ୍ରେମ୍‌ ଶୁକ୍ଳା କହିଛନ୍ତି, ରାଜୀବ ଥିଲେ ଅସାଧାରଣ ପ୍ରତିଭା ସମ୍ପନ୍ନ ଖେଳାଳି। ଲଣ୍ଡନରେ ୧୯୯୭ ଜୁନିୟର ହକି ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ଯୋଗୁ ତାଙ୍କର ବହୁ ପ୍ରଶଂସକ ହୋଇଯାଇଥିଲେ। ରାଜୀବଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ବୟସ ହୋଇଥିଲା, ଶୁକ୍ଳା ତାଙ୍କୁ ବାରଣାସୀରୁ କୋଲକାତା ଆଣିଥିଲେ। ଏଣ୍ଟାଲି ଆଥାଲେଟିକ୍‌୍‌ କ୍ଲବ ମୁଖ୍ୟ ଅସିମ ଗାଙ୍ଗୁଲି ଏହି ଯୁବ ଖେଳାଳିଙ୍କୁ ସହାୟ କରିବେ ବୋଲି କହିଥିଲେ। ରାଜୀବ ବାରଣାସୀସ୍ଥିତ ସାଇ ହଷ୍ଟେଲରେ ଜଣେ ସାଧାରଣ ଖେଳାଳି ଭାବେ ଦାଖଲ ହୋଇଥିଲେ। ମାତ୍ର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଖୁବ୍‌ କମ୍‌ ସମୟ ମଧ୍ୟରେ ଜଣେ ଅସାଧାରଣ ପ୍ରତିଭା ସମ୍ପନ୍ନ ଖେଳାଳି ପାଲଟି ଯାଇଥିଲେ। ଲଣ୍ଡନରେ ଜୁନିୟର ହକି ବିଶ୍ୱକପ୍‌ ବେଳେ ଜର୍ମାନୀ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଏକ ଚମତ୍କାର ଡାଇଭିଂ ଗୋଲ୍‌ ସ୍କୋର କରିଥିଲେ ରାଜୀବ। ଏହାକୁ ସେ କେବେ ଭୁଲି ପାରିବେ ନାହିଁ ବୋଲି ଶୁକ୍ଳା କହିଛନ୍ତି। ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ୨-୩ ଗୋଲରେ ହାରିଯାଇଥିଲା। ଟୁର୍ନାମେଣ୍ଟରେ ରାଜୀବ ୯ଟି ଗୋଲ ସ୍କୋର କରିଥିଲେ। ୧୯୯୮ରେ ନେଦରଲାଣ୍ଡ୍ସର ଉଟ୍ରେଚ୍‌ଠାରେ ସିନିୟର ବିଶ୍ୱକପ୍‌ ପୂର୍ବରୁ ତାଙ୍କ କ୍ୟାରିୟରରେ ଝଟ୍‌କା ଆସିଥିଲା। ତତ୍‌କାଳୀନ ଭାରତୀୟ ଗୋଲକିପର ଏବି ସୁବାୟାଙ୍କ ସହ ତାଙ୍କର ଧକ୍କା ହେବାରୁ ତାଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିଲା। ଉପଯୁକ୍ତ ଚିକିତ୍ସା ପାଇଁ ସେତେବେଳର ଭାରତୀୟ ହକି ମହାସଂଘ (ଆଇଏଚ୍‌ଏଫ୍‌) ତରଫରୁ ତାଙ୍କୁ ଆବଶ୍ୟକ ସହାୟତା ମିଳି ନ ଥିଲା। ଏଥିରେ ସେ ହତାଶ ହୋଇପଡ଼ିଥିଲେ। ପରବର୍ତ୍ତୀକାଳରେ ସେ ଜଣେ ମଦ୍ୟପ ପାଲଟିଯାଇଥିଲେ। ଶୁକ୍ଳା କହିଛନ୍ତି ୧୯୯୮ରେ ରାଜୀବଙ୍କ ଦୁର୍ଦ୍ଦିନରେ ବର୍ତ୍ତମାନ ନିଷିଦ୍ଧ ଆଏଚ୍‌ଏଫ୍‌ ଯଦି ସହାୟତାରେ ହାତ ବଢ଼ାଇଥାନ୍ତା ତେବେ ଭାରତୀୟ ହକି ଜଣେ ଷ୍ଟାର ଖେଳାଳିଙ୍କୁ ହରାଇ ନ ଥାନ୍ତା।

Share