ନୂଆଦିଲ୍ଲୀ,୨୫।୧୧: କଂଗ୍ରେସକୁ ଆଉ ଏକ ବଡ ଝଟକା। ଏମ୍ପି ତଥା କଂଗ୍ରେସ ସଭାପତି କମଲ ନାଥଙ୍କ ଗଣମାଧ୍ୟମ ପ୍ରଭାରୀ ଏବଂ ଦଳର ପ୍ରବକ୍ତା ନରେନ୍ଦ୍ର ସାଲୁଜା ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ଏବଂ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି।
ସାଲୁଜା ଇନ୍ଦୋରର ବାସିନ୍ଦା। ସେ କମଲ ନାଥଙ୍କ ସହ ଦୀର୍ଘ ସମୟ ଧରି ଜଡିତ ଥିଲେ। ଗତ କିଛି ମାସ ହେବ ତାଙ୍କୁ ଅଣଦେଖା କରାଯାଇଥିଲା। ଗଣମାଧ୍ୟମ ବିଭାଗର ପୁନର୍ଗଠନ ସମୟରେ ତାଙ୍କୁ ପ୍ୟାନେଲରେ ସ୍ଥାନ ଦିଆଯାଇ ନ ଥିଲା। ଯାହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଏହା ପରେ ସେ ପୁନର୍ବାର ସ୍ଥାନ ପାଇଥିଲେ। ନିକଟରେ ଇନ୍ଦୋରର ଖାଲସା କଲେଜରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କମଲ ନାଥ ମଧ୍ୟ ସେହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଆୟୋଜକମାନଙ୍କ ମଧ୍ୟରେ ନରେନ୍ଦ୍ର ସାଲୁଜାଙ୍କ ନାମ ମଧ୍ୟ ଥିଲା। ଏହି କାର୍ଯ୍ୟକ୍ରମ ସମୟରେ କମଲ ନାଥଙ୍କୁ ଶିଖ ଦଙ୍ଗାକୁ ନେଇ ଦୃଢ ବିରୋଧ କରାଯାଇଥିଲା। ଏହି ପ୍ରତିବାଦ ପରେ କମଲ ନାଥ ନରେନ୍ଦ୍ର ସାଲୁଜାଙ୍କୁ ଗଣମାଧ୍ୟମ ପ୍ରଭାରୀରୁ ହଟାଇ ଦେଇଥିଲେ।