ଭୁବନେଶ୍ୱର,୩୦।୩(ସତ୍ୟଜିତ୍ ରାଉତ): ଅନଲାଇନ୍ ଟ୍ରେଡିଂରେ ବହୁଗୁଣ ଲାଭ ଦେବାର ପ୍ରତିଶ୍ରୁତି ଦେଇ ସାଇବର ଠକମାନେ ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକଙ୍କୁ ୧ କୋଟି ୪୦ କୋଟି ଟଙ୍କା ଠକି ନେଇଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ସାଇବର ୟୁନିଟ୍ ୭ ଜଣ ସାଇବର ଠକଙ୍କୁ କର୍ନାଟକ ଓ ତାମିଲନାଡୁରୁ ଗିରଫ କରିଛି।
ଅଭିଯୁକ୍ତମାନଙ୍କ ମଧ୍ୟରୁ ୪ଜଣ କର୍ନାଟକରୁ ଏବଂ ୩ ଜଣ ତାମିଲନାଡୁରୁ ରହିଛନ୍ତି। ସେମାନେ ହେଲେ କର୍ନାଟକର ରାଜୁ ସି (୩୪), ତାଙ୍କ ସ୍ତ୍ରୀ ଜ୍ୟୋତି ରାଜୁ (୩୯), ଇସ୍ମାଇଲ୍ ରାହାଇଦ୍ (୨୭) ବାସିମ୍ (୨୮) ଏବଂ ତାମିଲନାଡୁ ଟେଙ୍କାଶି ଜିଲାର ପଟ୍ଟରାଜା ଏସ୍ (୩୪), କୋଇମ୍ବାତୁର୍ର ଜେଗାଥୀଶ୍ ରାଧାକୃଷ୍ଣନ୍ (୪୦) ଓ ଇ ସକ୍ଥିକୁମାରଭେଲ (୫)। ଗିରଫ ପରେ ଅଭିଯୁକ୍ତମାନଙ୍କୁ କର୍ନାଟକ ଓ ତାମିଲନାଡୁର ଭିନ୍ନ ଭିନ୍ନ କୋର୍ଟରେ ହାଜର କରାଯାଇଥିଲା।
କ୍ରାଇମବ୍ରାଞ୍ଚ ଟିମ୍ ସମସ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡିଶା ଆଣି ରବିବାର ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ଅଭିଯୁକ୍ତମାନଙ୍କଠାରୁ ମୋବାଇଲ, ସିମକାର୍ଡ, ହ୍ବାଟ୍ସଆପ୍ ଚାଟ୍ ସ୍କ୍ରିନ୍ଶଟ୍, ଆଧାର କାର୍ଡ, ପାନ କାର୍ଡ, ବ୍ୟାଙ୍କ ପାସବୁକ୍, ଚେକବୁକ ଓ ଡେବିଟ୍ କାର୍ଡ ଆଦି ଜବତ କରିଛି। ଏହି ମାମଲାରେ ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ପ୍ରୟାସ ଚଳାଇଛି।
ସୂଚନା ଅନୁଯାୟୀ, ଠକେଇର ଶିକାର ବିଧାୟକଙ୍କୁ କିଛି ମାସ ତଳେ ଅଭିଯୁକ୍ତମାନେ ହ୍ବାଟ୍ସଆପ୍ରେ ମେସେଜ୍ କରିଥିଲେ। ଏଥିସହ ଅନଲାଇନ୍ ଟ୍ରେଡିଂରେ ନିବେଶ କରେ ବହୁଗୁଣ ଲାଭ ମିଳିବାର ପ୍ରତିଶ୍ରୁତି ଦେଇଥିଲେ। ପରେ ବିଧାୟକଙ୍କୁ ଏକ ହ୍ବାଟ୍ସଆପ୍ ଗ୍ରୁପରେ ଯୋଡ଼ି ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀମାନେ ନିଜକୁ ଟ୍ରେଡ୍ ଆନାଲିସିସ୍ ଭାବେ ପରିଚୟ ଦେଇ ଫଶାଇଥିଲେ। ଠକଙ୍କ କଥାରେ ପଡ଼ି ବିଧାୟକ ଓଟିସି (ଓଭର୍-ଦି-କାଉଣ୍ଟର) ଓ ଆଇପିଓ (ଇନିସିଆଲ୍ ପବ୍ଲିକ୍ ଅଫରିଙ୍ଗ୍) ଟ୍ରେଡିଂରେ ନିବେଶ କରିଥିଲେ। ସେ ୨୦୨୪ ନଭେମ୍ବର ୧୩ରୁ ୨୦୨୫ ଜାନୁଆରୀ ୧ ମଧ୍ୟରେ ୧ କୋଟି ୪୦ ଲକ୍ଷ ଟଙ୍କା ଟ୍ରାନ୍ଫର୍ କରିଥିଲେ।
ତେବେ ପ୍ରଥମେ କ୍ଷତି ହେବା ପରେ ମଧ୍ୟ ଠକମାନେ ତାଙ୍କୁ ପୁଣି ନିବେଶ କରିବାକୁ ପ୍ରବର୍ତ୍ତାଇଥିଲେ। ବିଧାୟକ ଜଣକ ଟଙ୍କା ଉଠାଣ କରିବାକୁ ଚାହିଁବାରୁ ଠକମାନେ ଅତିରିକ୍ତ ଦେୟ ମାଗି ଭୁଆଁ ବୁଲାଇଥିଲେ। ଏନେଇ ବିଧାୟକ ଜଣକ କ୍ରାଇମବ୍ରାଞ୍ଚରେ ଏତଲା ଦେଇଥିଲେ। ଜାନୁଆରୀ ୧୩ରେ କ୍ରାଇମବ୍ରାଞ୍ଚର ସାଇବର ଥାନା ଏସଂକ୍ରାନ୍ତରେ ମାମଲା (ନଂ.୩/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତମାନଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। ଏଯାଏ ୧୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଥିବା ବେଳେ ୪ ଲକ୍ଷ ଟଙ୍କା ଫେରାଇ ଅଣାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।