Categories: ଜାତୀୟ

ଘରେ ପଶି ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା

ବାଗପତ୍‌,୧୦।୯: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଆତ୍ମାରାମ ତୋମାରଙ୍କୁ ତାଙ୍କ ବାସଭବନରେ ହତ୍ୟା କରାଯାଇଛି। ତୋମାର ତାଙ୍କ ଘରେ ଏକାକୀ ରହୁଥିଲେ। ଘର ବାହାରପଟୁ ତାଲା ପଡ଼ିଥିବାବେଳେ ଭିତରେ ତାଙ୍କ ମୃତଦେହ ବେଡ୍‌ ଉପରେ ପଡ଼ିରହିଥିଲା। ତାଙ୍କ ମୁହଁରେ ରକ୍ତ ଦାଗ ସହ କ୍ଷତ ଚିହ୍ନ ରହିଥିବାରୁ ତୋମାର ନିଜକୁ ବଞ୍ଚାଇବା ପାଇଁ ସଂଘର୍ଷ କରିଥିବା ଜଣାପଡ଼ିଛି। ତାଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ପୋଲିସ ଏବଂ ପରିବାର ପକ୍ଷରୁ କୁହାଯାଇଛି।

ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି, ଗୁରୁବାର ସନ୍ଧ୍ୟାରେ ୨ ଜଣ ଲୋକ ଏକ ମୋଟରସାଇକେଲରେ ଆସି ତୋମାରଙ୍କ ଘରେ ପ୍ରବେଶ କରିଥିଲେ। ସେମାନେ ୪୫ ମିନିଟ ପରେ ଘରୁ ବାହାରିଯାଇଥିଲେ। ହତ୍ୟାକାରୀମାନେ ଘର ପାଖରେ ରଖାଯାଇଥିବା ଏକ ଏସ୍‌ୟୁଭି ଏବଂ ତୋମାରଙ୍କ ମୋବାଇଲ ଫୋନ୍‌ ନେଇଯାଇଛନ୍ତି। ମିରଟରେ ରହୁଥିବା ତୋମାରଙ୍କ ବଡ଼ପୁଅ ପ୍ରତାପ ତୋମାରଙ୍କଠାରୁ ଫୋନ୍‌ କଲ୍‌ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ସେତେବେଳେ ଘର ବାହାରପଟୁ ତାଲା ପଡ଼ିଥିଲା। ଦୁଇ ଜଣ ନିକଟ ସମ୍ପର୍କୀୟଙ୍କୁ ପରିବାର ଲୋକେ ସନ୍ଦେହ କରୁଛନ୍ତି। ଟଙ୍କା ପଇସାକୁ ନେଇ ସେମାନଙ୍କ ସହ ତୋମାରଙ୍କର ବିବାଦ ଥିଲା। ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୧୯୯୭ରେ କଲ୍ୟାଣ ସିଂ ସରକାରରେ ୭୫ ବର୍ଷୀୟ ତୋମାରଙ୍କୁ ମନ୍ତ୍ରୀ ପାହ୍ୟା ମିଳିଥିଲା।

Share