ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବଡ଼ପୁଅଙ୍କ ପରଲୋକ

ଢେଙ୍କାନାଳ ଅଫିସ,୨୨ା୫: ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବଡ଼ପୁଅ ସମ୍ବିତ୍‌ ନନ୍ଦଙ୍କ ଶନିବାର ମଧ୍ୟାହ୍ନରେ ପରଲୋକ ଘଟିଛି। ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ହୋଇ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା। ସେ ଜଣେ ଯୁବ ସମାଜସେବୀ ଥିଲେ। ତାଙ୍କ ପରଲୋକ ଖବର ପାଇ ଢେଙ୍କାନାଳରେ ଶୋକର ଛାୟା ଖେଳିଯାଇଛି। ବହୁ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରାଯାଇଛି।
ଅନ୍ୟପକ୍ଷେ ତାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ନବୀନ ନନ୍ଦ ତାଙ୍କର ଜୀବନ ରକ୍ଷା ପାଇଁ ଟୁଇଟ୍‌ କରି ନିବେଦନ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ, ତାଙ୍କ ପୁଅଙ୍କ ଇସିଏମ୍‌ଓ ଚିକିତ୍ସା ଆବଶ୍ୟକ ହେଉଛି। କିନ୍ତୁ ଏହା ଉପଲବ୍ଧ ହୋଇପାରୁନାହିଁ। ଏହି ପୋଷ୍ଟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଟ୍ୟାଗ କରିଥିଲେ।

ସୂଚନାଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ସମ୍ବିତ୍‌ଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଏହା ସତ୍ତ୍ୱେ ୨୮ ତାରିଖରେ ସେ ଅସୁସ୍ଥ ଅନୁଭବ କରିଥିଲେ। ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ ଏବଂ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏଣୁ ତାଙ୍କୁ ଚିକିତ୍ସା ଲାଗି କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।