ସ୍ତ୍ରୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର,୨୪ା୬(ସୂର୍ଯ୍ୟକାନ୍ତ ବେହେରା): ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ରାୟଗଡ଼ା ଜିଲା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଶନିବାର ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ ଟି ଦସ୍ତାବିଜ ଆଧାରରେ ପୂର୍ବତନ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ମଙ୍ଗଳବାର ଅଦାଲତ ଏହି ମାମଲାର ଦଣ୍ଡ ଘୋଷଣା କରିବେ ବୋଲି ସୂଚନା ମିଳିଛି। ମାମଲାର ବିବରଣୀରୁ ଜଣାଯାଏ ଯେ, ୧୯୯୫ ଅଗଷ୍ଟ ୨୯ରେ ରାମମୂର୍ତ୍ତି ଗମାଙ୍ଗଙ୍କ ସ୍ତ୍ରୀ ଶଶୀରେଖାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଖାରବେଳନଗରସ୍ଥିତ ଏମ୍‌ଏଲ୍‌ଏ କଲୋନୀରେ ଥିବା ସରକାରୀ ଘରୁ ଶଶୀରେଖାଙ୍କ ପୋଡ଼ା ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣା ଦିନ ୧୦ଟା ୪୫ ମିନିଟ୍‌ରେ ରାମମୂର୍ତ୍ତି ପୋଲିସକୁ ଖବର ଦେଇଥିଲେ ଯେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ତେବେ ଘଟଣାର ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟା ବୋଲି ପୋଲିସ ଜାଣିବା ସହ ଗମାଙ୍ଗଙ୍କର ଏହି ଘଟଣାରେ ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା। ସେହି ଆଧାରରେ ପୋଲିସ ଏହି ଘଟଣାରେ ପ୍ରଥମେ ଅପମୃତ୍ୟୁ ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା।

Share