ପୂର୍ବତନ ବିଧାୟକ ରମେଶ ସୋରେନଙ୍କ ପରଲୋକ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/: ଖୁଣ୍ଟା(ଦେବରଞ୍ଜନ ବେହେରା), ୨୬।୭: ମୟୂରଭଞ୍ଜ ଜିଲା ଖୁଣ୍ଟା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ସୋରେନ(୮୨)ଙ୍କ ସୋମବାର ଭୁବନେଶରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ବୟସାଧିକ କାରଣରୁ ଦୀର୍ଘ ୩ ମାସ ଧରି ସେ ଚିକିତ୍ସାଧୀନ ଥିଲେ। ସେ କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବେ ଜିଲାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ନ ଥିଲେ। ସୋରେନ ଖୁଣ୍ଟା ହାଇସ୍କୁଲରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ୧୯୭୧ରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ସମୟରେ ସେ କଂଗ୍ରେସ ଦଳର ଜିଲା ସାଂଗଠନିକ ଦାୟିତ୍ୱ ତୁଲାଇଥିଲେ। ପରେ ୧୯୭୪, ୧୯୭୭ ଓ ୧୯୮୦ ମସିହାରେ କଂଗ୍ରେସ ଦଳରୁ ଖୁଣ୍ଟା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚତ ହୋଇଥିଲେ। ତାଙ୍କ ବିୟୋଗ ଖବର ପ୍ରଚାର ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖୁଣ୍ଟା ବ୍ଲକ ଅଧୀନ ଭାଲିଆଡ଼ିହା ଗ୍ରାମସ୍ଥିତ ତାଙ୍କ ବାସଭବନରେ ମରଶରୀର ପହଞ୍ଚତ୍ବା ପରେ ପୂର୍ବତନ ସାଂସଦ ସୁଶୀଳା ତିରିଆ, ପୂର୍ବତନ ମନ୍ତ୍ରୀ ସରସ୍ବତୀ ହେମ୍ବ୍ରମ, ପିସିସି ସଭ୍ୟ ରାକେଶ ସିଂ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଏସ୍‌ଏସ୍‌ଡି ଅଧ୍ୟକ୍ଷ ଡା.ଦେବାଶିଷ ମାରାଣ୍ଡି ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନିରୁପମା ଦାସ, ଜ୍ୟେଷ୍ଠ ପୁତ୍ର ତଥା ମୟୂରଭଞ୍ଜ ଜିଲା ଲକ୍ଷ୍ମୀପୋଷି ବାଟାଲିୟନ (ଆମର୍‌ସ)ର ସବ୍‌ ଇନ୍ସପେକ୍ଟର ଭିଏସ୍‌ ଜୀବନ ସଂଗ୍ରାମ ଏବଂ କନିଷ୍ଠ ପୁତ୍ର ତଥା ୧୩ ନଂ.ଜୋନ୍‌ର ପୂର୍ବତନ ଜିଲା ପରିଷଦ ସଭ୍ୟ ଭିଏସ୍‌ ଜ୍ୟୋତି ସଂଗ୍ରାମ ପ୍ରମୁଖ ଉପସ୍ଥିତ ଥିଲେ।