ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଆଳି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡା. ଦେବସ୍ମିତା ଶର୍ମା ନିର୍ବାଚନ ଲଢ଼ିବା ନିମନ୍ତେ ପ୍ରସ୍ତୁତି ଚଳାଇଛନ୍ତି। ବାପା ଦେବେନ୍ଦ୍ର ଝିଅର ନିର୍ବାଚନୀ ଖର୍ଚ୍ଚ ନିମନ୍ତେ ଘରଡିହ ବିକ୍ରି କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ମୁତାବକ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା କଂଗ୍ରେସ ଦଳ ପକ୍ଷରୁ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ବେଳେ ୨୦୧୪ରେ ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନ ପରାଜିତ ହେବାପରେ ଶାରୀରିକ ଅସୁସ୍ଥତା ଯୋଗୁ ଚଳିତଥର ସେ ନିଜେ ନ ଲଢ଼ି ଏକମାତ୍ର ଝିଅ ଡା. ଦେବସ୍ମିତାଙ୍କୁ ବିଧାୟିକା ପ୍ରାର୍ଥୀ ଭାବେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିବାକୁ ରଣାଙ୍ଗନକୁ ଛାଡିଛନ୍ତି। ବିପକ୍ଷରେ ନିର୍ବାଚନ ଲଢ଼ୁଥିବା ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ଓ ଭାଜପା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସହ ଲଢେଇ ନିମନ୍ତେ ପୂର୍ବତନ ବିଧାୟକ ଦେବେନ୍ଦ୍ରଙ୍କ ଟଙ୍କା ଆବଶ୍ୟକ ଥିବାରୁ ସେ ଘରଡିହ ବିକ୍ରି କରିଛନ୍ତି। ଏ ନେଇ ପୂର୍ବତନ ବିଧାୟକ ଶର୍ମା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ, ତାଙ୍କ ପରିବାର ଲୋକସେବାକୁ ଭଲପାଆନ୍ତି। ତାଙ୍କ ବାପା ସ୍ବର୍ଗତ ଡା. ଦିବାକର ଶର୍ମା ଏମ୍‌ବିବିଏସ୍‌ ପାସ୍‌ କରି ଭଲ ଦରମାରେ ଚାକିରି କରି ପାରିଥାନ୍ତେ। କିନ୍ତୁ ସେ ଚାକିରି ନ କରି ଆଳି ଓ ରାଜକନିକାବାସୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ଆଳିରେ ରହି ଯାଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ବିଧାୟକ ଭାବେ ଆଳି, ରାଜକନିକାରେ ଶିକ୍ଷା, ଗମନାଗମନ, ଜଳସେଚନ ଭଳି ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ଦେବେନ୍ଦ୍ର କହିଛନ୍ତି। ତେବେ ଚଳିତ ନିର୍ବାଚନ ଦୁର୍ନୀତିଗ୍ରସ୍ତ ନେତୃତ୍ୱ ସହ ନିର୍ମଳ ନେତୃତ୍ୱଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ସେ କହିଛନ୍ତି।