ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୁଣିଥରେ ବିବାଦରେ ଟ୍ରମ୍ପ

ୱାଶିଂଟନ,୧୮ ।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଜଣେ ପୂର୍ବତନ ମଡେଲ ପୁଣିଥରେ ଯୌନ ଉତ୍ପିଡନର ଅଭିଯୋଗ ଆଣିଛନ୍ତି । ଏମି ଡୋରିସ ନାମକ ଏହି ମଡେଲ କହିଛନ୍ତି ୨୩ ବର୍ଷ ପୂର୍ବେ ଓପନ ଟେନିସ ଚାମ୍ପିଆନଶିପ ଚାଲିଥିବା ବେଳେ ଟ୍ରମ୍ପ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ହେଲେ ଟ୍ରମ୍ପ ଏହାକୁ ଖଣ୍ଡନ କରିଛନ୍ତି । ଟ୍ରମ୍ପଙ୍କ ଓକିଲ କହିଛନ୍ତି ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ଛବି ଖରାପ କରିବାକୁ ଏପରି ଅଭିଯୋଗ ଜାଣିଶୁଣି କରାଯାଇଛି । ମଡେଲ ଡୋରିସ କହିଛନ୍ତି ସେତେବେଳେ ତାଙ୍କ ପୁରୁଷ ବନ୍ଧୁ ଜେସନ ବିନ ତାଙ୍କୁ ଟ୍ରମ୍ପଙ୍କ ସହ ପରିଚିତ କରାଇଥିଲେ । ଦ ଗାର୍ଡିଆନକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଡୋରିସ କହିଛନ୍ତି, ମ୍ୟାଚ ଚାଲିଥିବା ସମୟରେ ଭିଆଇପି ବକ୍ସରେ ଟ୍ରମ୍ପ ତାଙ୍କ୍‌ୁ ଜୋର ଜବରଦସ୍ତ କିସ୍ କରିଥିଲେ । ଯେତେବେଳେ ସେ ତାଙ୍କଠାରୁ ମୁକୁଳିବାକୁ ଚାହିଁଥିଲେ ସେତେବେଳେ ଟ୍ରମ୍ପ ତାଙ୍କୁ ଖୁବ୍‌ଜୋରରେ ଜାବୁଡି ଧରିଥିଲେ ବୋଲି ସେ କହିଛନ୍ତି । ଟ୍ରମ୍ପ ଏମିତି କିସ୍ କରିଥିଲେ ଯେ ତାଙ୍କ ଜିଭ ଛିଡିଗଲା ଭଳି ମନେ ହୋଇଥିବା ଡୋରିସ ଅଭିଯୋଗ କରିଛନ୍ତି । ହେଲେ ଏହାକୁ ଟ୍ରମ୍ପଙ୍କ ଓକିଲ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ରାଷ୍ଟ୍ରପତି କେବେବି ଡୋରିସଙ୍କ୍‌ୁ ଖରାପ ବ୍ୟବହାର କରି ନାହାନ୍ତି । ଆଉ ଯଦି ଟ୍ରମ୍ପ ଉକ୍ତ ମଡେଲଙ୍କ ପ୍ରତି ଖରାପ ବ୍ୟବହାର କରିଥାଆନ୍ତେ ତେବେ ଭିଆଇପି ବକ୍ସରେ ଥିବା ଅନ୍ୟ ଲୋକେ ବି ଏହାକୁ ଦେଖିଥାଆନ୍ତେ ବୋଲି ଟ୍ରମ୍ପଙ୍କ ଓକିଲ ଯୁକ୍ତି ବାଢିଛନ୍ତି । ତେବେ ଏ ସମ୍ପର୍କରେ ଡୋରିସଙ୍କ ପୁରୁଷ ବନ୍ଧି କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । କିନ୍ତୁ ଡୋରିସ କହିଛନ୍ତି ଏକଥାକୁ ପ୍ରଚାର କରିବାକୁ ସେ ସମୟରେ ଚାପ ପକାଯାଇଥିଲା ।

Share