ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ଓଡ଼ିଶା ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ବୁଧବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଆଦିବାସୀ ନେତା କିଛି ଦିନ ତଳେ କୋଭିଡ୍ରେ ସଂକ୍ରମିତ ହୋଇଥିଲେ। ଏହାଛଡ଼ା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ମଧ୍ୟ ଥିବା ପରିବାର ପକ୍ଷରୁ କୁହାଯାଇଛି। ଦୋରାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି।
ପ୍ରକାଶ ଯେ, ଦୋରା ଆଦିବାସୀବହୁଳ ମାଲକାନଗିରି ଜିଲାରେ ଜନ୍ମଗ୍ରହଣ କରିଥିଲେ। ୧୯୭୭, ୧୯୯୦ ଏବଂ ୨୦୦୪ ନିର୍ବାଚନରେ ଜିଲାର ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀରେ ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୦-୧୯୯୫ ଏବଂ ୨୦୦୪-୨୦୦୯ ଯାଏ ଦୁଇଥର ପାଇଁ ସେ ବିଧାନସଭାରେ ଉପବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ।