Categories: ଖେଳ

ରାଗରେ ନିଆଁବାଣ ପାକିସ୍ତାନୀ କ୍ରିକେଟର, ଜୟ ଶାହାଙ୍କୁ ନେଇ କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୨୩।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ‘ଚାମ୍ପିଅନ୍ସ ଟ୍ରଫି’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନ ଏହାର ଆୟୋଜନକୁ ନେଇ ଖୁସି ଥିବା ବେଳେ ଟିମ୍‌ ଇଣ୍ଡିଆ ନ ଯିବା ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି। ଏମିତିରେ ପାକିସ୍ତାନର କ୍ରିକେଟର, ବୋର୍ଡ ଏବଂ ଅଧିକାରୀମାନେ ବିବାଦୀୟ ବୟାନ ଦେଉଛନ୍ତି। ଏହି କ୍ରମରେ ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲି ବିସିସିଆଇ ସଚିବ ଜୟ ଶାହାଙ୍କ ସମାଲୋଚନା କରିବା ସହ ତାଙ୍କୁ ଟାର୍ଗେଟ କରି ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ଚାମ୍ପିଅନ୍ସ ଟ୍ରଫି ଲାଗି ପିସିବି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥିରେ ଷ୍ଟାଡିୟମର ନବୀକରଣ ସାମିଲ ଅଛନ୍ତି। ହେଲେ ଭାରତ ପାକିସ୍ତାନ ଗସ୍ତ କରିବ କି ନାହିଁ ସେ ନେଇ ସ୍ପଷ୍ଟ ହେଉନାହିଁ। ଏହାକୁ ନେଇ ଟୁର୍ନାମେଣ୍ଟ ଯୋଜନା ଉପରେ ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି।
ବିସିସିଆଇର ଚାମ୍ପିଅନ୍ସ ଟ୍ରଫିକୁ ନୂଆ ସ୍ଥାନରେ କରିବାକୁ ନେଇ ଅନୁରୋଧ କରାଯିବାକୁ ନେଇ ବାସିତ ଅଲି କହିଛନ୍ତି, ୫-୬ ବୋର୍ଡ ଅଛି, ଯିଏ ଜୟ ଶାହା କହିଥିବା କଥାକୁ ସହଜରେ ମାନି ନେବେ। ଯଦି ସେ କୁହନ୍ତି ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ହେବ ତେବେ ସେ ସହମତ ହେବେ। ଯଦି ସେ କୁହନ୍ତି ଏହା ହାଇବ୍ରିଡ୍‌ ମଡେଲରେ ହେଉ ତେବେ ସେଥିରେ ମଧ୍ୟ ସେମାନେ ହଁ କହିବେ। ତେବେ ଏଥିଲାଗି ଶାହା ଆଇପିଏଲ୍‌ରେ ଖେଳାଳିଙ୍କୁ ଅଧିକ ଟଙ୍କା ଦେଇ ପ୍ରମୁଖ କ୍ରିକେଟ ବୋର୍ଡର ସମର୍ଥନ ହାସଲ କରିଥିବା ସେ କହିଛନ୍ତି।
ବାସିତ ଆହୁରି ମଧ୍ୟ କହିଛନ୍ତି, ଅନ୍ୟ ଦେଶର ଖେଳାଳି ଭାରତରେ ଆଇପିଏଲ୍‌ ଖେଳନ୍ତି, ବିସିସିଆଇ ସେମାନଙ୍କୁ ମୋଟା ପାଉଣା ଦେଇଥାଏ। ତେଣିକି ସେ ଇଂରେଜ ବୋର୍ଡ, ନ୍ୟୁଜିଲାଣ୍ଡ ବୋର୍ଡ, ଓ୍ବେଷ୍ଟଇଣ୍ଡିଜ୍‌ ବୋର୍ଡ ଅଥବା ଅଷ୍ଟ୍ରେଲିଆ ବୋର୍ଡ ହେଉ ନା କାହିଁକି?ବୋଲି ସେ କହିଛନ୍ତି। ଏବେ ତାଙ୍କର ଏଭଳି ବୟାନ ଭାଇରାଲ ହେଉଛି।
Share