Categories: ଖେଳ

‘ହସ ଲାଗେ, ଗୋଟିଏ ଦୁଇଟି ମ୍ୟାଚ୍‌ ଖେଳିଥିବା ଲୋକ ଜ୍ଞାନ ଦେଉଛନ୍ତି’

ନୂଆଦିଲ୍ଲୀ,୨୦।୭: ଦୀର୍ଘଦିନ ଧରି ନିଜର ଖରାପ ଫର୍ମ ସହ ଲଢ଼ୁଛନ୍ତି ଭାରତର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଦେଢ଼ ବର୍ଷ ଧରି ସେ ଶତକଟିଏ ମାରି ନାହାନ୍ତି। ୨୦୧୯ ନଭେମ୍ବରରେ ସେ ବାଲାଂଦେଶ ବିପକ୍ଷରେ ଶତକ ମାରିଥିଲେ। ସେବେଠାରୁ ଲଗାତାର ଭାବେ ସେ ବିଫଳ ହେଉଥିବାରୁ ଦଳରୁ ତାଙ୍କୁ ବାଦ୍‌ ଦେଇ କିଛି ଦିନ ଘରୋଇ କ୍ରିକେଟ ଖେଳାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି। ହେଲେ କିଛି କୋହଲିଙ୍କୁ ବାଦ୍‌ ଦେବା ଉଚିତ ନୁହେଁ ବୋଲି ମତ ରଖୁଛନ୍ତି। ଏହି କ୍ରମରେ ଏବେ ଯୋଡ଼ି ହୋଇଛନ୍ତି ପାକିସ୍ତାନର ପୂର୍ବତନ ଉଇକେଟକିପର କାମରନ୍‌ ଅକମଲ।

ଅକମଲ କୋହଲିଙ୍କ ସମାଲୋଚକଙ୍କୁ ଜବାବ ଦେଇ କହିଛନ୍ତି, କୋହଲି ଜଣେ ଭିନ୍ନ ଖେଳାଳି। ସମସ୍ତେ ଏଭଳି କିଛି ସମୟ ଦେଇ ଗତି କରନ୍ତି। କାହାକୁ କମ୍‌ ତ କାହାକୁ ଅଧିକ ସମୟ ଲାଗିଥାଏ। ଏସବୁ ଦେଖିଲେ କୋହଲିଙ୍କୁ କେବଳ ଗୋଟିଏ ବଡ଼ ଇନିଂସ ଖେଳିବାର ଆବଶ୍ୟକତା ରହିଛି। ତାଙ୍କର ବିଶ୍ୱାସ, ଖେଳପ୍ରଅତି ରୁଚି ତାଙ୍କୁ ଭିନ୍ନ କରିଥାଏ। ଯେଉଁ ଖେଳାଳି ୭୦ ଶତକ ମାରିଛି, ସେ ତାକୁ ବାହାର କରିବା ଲୋକଙ୍କ କଥା ଶୁଣିବ ବୋଲି ଭାବିବା ବୋକାମୀ। ଗୋଟିଏ-ଦୁଇଟି ମ୍ୟାଚ୍‌ ଖେଳିଥିବା ଲୋକ କୋହଲିଙ୍କ ଉପରେ ଟିପ୍ପଣୀ ଦେଉଛନ୍ତି। ମୁଁ ଏଭଳି ଲୋକଙ୍କ ଉପରେ କେବଳ ହସିପାରିବି। କୋହଲିଙ୍କୁ ଏତିକି କହିବି ସେ ସବୁକିଛି ଭଲ କରି ନିଜ ଖେଳ ଉପରେ ଧ୍ୟାନ ଦିଅନ୍ତୁ। ଜଣେ ଖେଳାଳି ନିଜେ ନିଜର କୋଚ୍‌। ସେଥିପାଇଁ ସବୁକିଛି ଭୁଲି ମନକୁ ସକରାତ୍ମକ ରଖନ୍ତୁ ବୋଲି ସେ କହିଛନ୍ତି।

Share