ଜେଲଗଲେ ପୂର୍ବତନ ପିଇଓ

ଖପ୍ରାଖୋଲ, ୧୯।୯(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତେଲେନପାଲି ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ଅନିୟମିତତା ଅଭିଯୋଗ ହୋଇଥିଲା। ଏ ନେଇ ବିଡ଼ିଓ ଖପ୍ରାଖୋଲ ଥାନାରେ ଅଭିଯୋଗ କରିବା ପରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେରଙ୍କୁ ଖପ୍ରାଖୋଲ ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି।
ସୂଚନା ଅନୁସାରେ ତେଲେନପାଲି ପଞ୍ଚାୟତ କର୍ଲାମାଲ ଗାଁରେ ୨୦୧୯-୨୦ ଆର୍ଥିକ ବର୍ଷରେ କୌଶଲ୍ୟା ଚିରାଗୁନଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର ହୋଇଥିଲା। ହେଲେ ତାଙ୍କ କୋଡ ବ୍ୟବହାର କରି ଗାଁର ଟିକେଚନ ବାଗଙ୍କୁ ଚଞ୍ଚକତା କରି ଗୃହ ଦିଆଯାଇଥିବା ନେଇ କୌଶଲ୍ୟା ଅଭିଯୋଗ କରିଥିଲେ। ସେହିପରି ଯୁନାନିବାହାଲ ଗାଁରେ ମଧ୍ୟ ଭଏ ମୁଣ୍ଡାଙ୍କ ନାମରେ କେହି ନ ଥିବା ବେଳେ ତାର ନାମରେ ଅନଲାଇନରେ ଘର ଦିଆଯାଉଥିବା ଦର୍ଶାଯାଇଥିଲା। ତେବେ ସେହି କୋଡର ଘର ରୂପା ଧରୁଆଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅନିୟମିତତାରେ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେର, ତତ୍କାଳୀନ ଜିଆର୍‌ଏସ ବିପିନ ବେହେରା, ଜିଓଟେକ ଗୋଲାପ ପୋଡ଼ ଦାୟୀ ବୋଲି ଜିଲା କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିବାକୁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଖପ୍ରାଖୋଲ ଥାନାରେ ଗତ ତା୮ା୯ା୧୦୨୩ରିଖରେ ବିଭିନ୍ନ ଦଫାରେ ଏକ ମାମଲା (୧୫୯/୨୩)ରୁଜୁ ହୋଇଥିଲା। କିଛିଦିନ ତଳେ ଦୁଇ ନକଲି ହିତାଧିକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବାବେଳେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ମେହେରଙ୍କୁ ବେଙ୍ଗାଲୁରରୁ ଗିରଫ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଏସଆଇ ଗୋପୀନାଥ ମହାକୁଡ ପ୍ରକାଶ କରିଛନ୍ତି। ତତ୍କାଳୀନ ଜିଆର୍‌ଏସ ବିପିନ ବେହେରା ଓ ଜିଓଟେକ ଗୋଲାପ ପୋଡ଼ ଫେରାରଥିବା ପୋଲିସ କହିଛି। ସୂଚନାଯୋଗ୍ୟ ଯେ, ଗତ ୨୦୨୨ ମସିହା ଜାନୁୟାରୀ ୧୯ତାରିଖରେ ଧରିତ୍ରୀରେ ଆବାସ ଗୃହ ବଣ୍ଟନରେ ଅନିୟମିତତା ସମ୍ପର୍କିତ ଖବର ପ୍ରକାଶ ପାଇଥିଲା।

Share