ଜେଲରେ ଇମ୍ରାନଙ୍କୁ ମିଳୁଛି ବି କ୍ଲାସ ସୁବିଧା, ଓକିଲଙ୍କ ସହ ଭେଟିବାକୁ ନାହିଁ ଅନୁମତି

ଇସଲାମାବାଦ,୭।୮: ତୋସାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାଁ ଅଟକ ଜେଲରେ ରହିଛନ୍ତି। ଏବେ ତାଙ୍କ ପାର୍ଟି ପିଟିଆଇ ଅଭିଯୋଗ କରିଛି ଯେ ଖାଁଙ୍କୁ ଜେଲରେ ବି-ଶ୍ରେଣୀର ସୁବିଧା ଦିଆଯାଉଛି।

ପାକିସ୍ତାନର ଖବରକାଗଜ ଡନର ସୂଚନାଅନୁଯାୟୀ, ଇମ୍ରାନଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ ପିଟିଆଇ ଅଧ୍ୟକ୍ଷଙ୍କୁ ଓକିଲଙ୍କୁ ଭେଟିବାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ। ଡନ ରିପୋର୍ଟ କରିଛି ଯେ ତାଙ୍କୁ ଟକ ଜେଲକୁ ସ୍ଥାନାନ୍ତର କରିବାର ଯୋଜନା ସମ୍ପର୍କରେ ଜେଲ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ଅନ୍ଧକାରରେ ରଖାଯାଇଛି। ସେମାନେ ଆଶା କରୁଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଆଦିୟାଲା ଜେଲକୁ ନିଆଯିବ, କିନ୍ତୁ ପିଟିଆଇ ଅଧ୍ୟକ୍ଷଙ୍କୁ ଅଟକ ଜେଲରୁ ବାହାରକୁ ଆଣିବା ପରେ ସେମାନେ ଯୋଜନାରେ ପରିବର୍ତ୍ତନ ବିଷୟରେ ଜାଣିଥିଲେ।

ଜେଲ ଅଧିକାରୀ କହିଛନ୍ତି ଯେ ବି-କ୍ଲାସ ଅଧୀନରେ ପିଟିଆଇ ଅଧ୍ୟକ୍ଷ ତାଙ୍କ ବ୍ୟାରେକର ବାଥରୁମ ସୁବିଧା ବ୍ୟତୀତ ପୁସ୍ତକ, ପସନ୍ଦର ଖବରକାଗଜ, ଟେବୁଲ, ଚେୟାର, ୨୧ଇଞ୍ଚ ଟେଲିଭିଜନ, ଗଦି, ପୋଷାକ ଏବଂ ଜେଲ ଖାଦ୍ୟ ପାଇବାକୁ ହକଦାର। ହେଲେ ତାଙ୍କୁ ବାହାରୁ ଖାଦ୍ୟ ଆଣିବାକୁ ଦିଆଯିବ ନାହିଁ । ଏହା ବ୍ୟତୀତ ପରିମଳ ଏବଂ ଧୋଇବା ସୁବିଧା ବ୍ୟତୀତ ବିଦ୍ୟୁତ ଯୋଗାଣ ବନ୍ଦ ରହିଲେ ଇମ୍ରାନ ଖାଁଙ୍କୁ ଲ୍ୟାମ୍ପ ଆଣିବାକୁ ଅନୁମତି ଦିଆଯାଇଛି।

Share