‘ଜେଲେନସ୍କିଙ୍କୁ ହତ୍ୟା କରିବେ ନାହିଁ, ପୁଟିନ ଦେଇଛନ୍ତି ପ୍ରତିଶ୍ରୁତି’

ଜେରୁଜେଲମ,୫।୨: ମାସ ମାସ ଧରି ଚାଲିଆସୁଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହେଉନାହିଁ। ପାଶ୍ଚାତ୍ୟ ଦେଶରୁ ୟୁକ୍ରେନକୁ ଭାରୀ ଅସ୍ତ୍ର ମିଳୁଥିବାବେଳେ ରୁଷିଆ ମଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣକୁ ବୃଦ୍ଧି କରିଛି। ଏହା ମଧ୍ୟରେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ ଏକ ବଡ ଦାବି କରିଛନ୍ତି। ବେନେଟଙ୍କ ଅନୁଯାୟୀ, ସେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ଚୁକ୍ତି କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା ନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ବେନେଟ ଏକ ସାକ୍ଷାତକାରରେ କହିଛନ୍ତି, ଯୁଦ୍ଧର ପ୍ରଥମ ଦିନରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପଚାରିଥିଲେ-ଆପଣ ଜେଲେନସ୍କିଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି କି? ଏହାର ଉତ୍ତରରେ ପୁଟିନ କହିଥିଲେ – ନା, ମୁଁ ତାଙ୍କୁ ହତ୍ୟା କରିବି ନାହିଁ। ଜେଲେନସ୍କିଙ୍କୁ ହତ୍ୟା ନ କରିବାକୁ ପ୍ରତିଜ୍ଞା କରିଛ ମୁଁ ଏହା ବୁଝିବି କି ବୋଲି ବେନେଟ୍‌ ପଚାରିଥିଲେ। ପୁଟିନ ଏହାର ଜବାବରେ ‘ହଁ’ କହିଥିଲେ।
ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଶେୟାର ହୋଇଥିବା ସାକ୍ଷାତକାରର ଭିଡିଓରେ ବେନେଟ ଏହା ମଧ୍ୟ କହିଛନ୍ତି, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ ପରେ ତୁରନ୍ତ ସେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଫୋନ୍‌ ଯୋଗେ ଏହି ସୂଚନା ମଧ୍ୟ ଦେଇଥିଲେ।
ସୂଚନାଯୋଗ୍ୟ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପୂର୍ବରୁ କହିଆସୁଛନ୍ତି ତାଙ୍କୁ ରୁଷିଆହତ୍ୟା କରିବାକୁ ଚାହୁଁଛି।

Share