ଦୁର୍ନୀତି ଗ୍ରସ୍ତ ନେତାଙ୍କ ତାଲିକାରେ ପୂର୍ବତନ ରାଷ୍ଟ୍ରପତି ଆଶରଫ୍‌ ଘନି…

ଓ୍ବାଶିଂଟନ, ୨୯।୧୨: ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ୍‌ ଘନି ପୃଥିବୀର ଦୁର୍ନୀତି ଗ୍ରସ୍ତ ନେତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ସଂଗଠିତ ଅପରାଧ ଏବଂ ଦୁର୍ନୀତି ରିପୋର୍ଟିଂ ପ୍ରୋଜେକ୍ଟ (ଓସିସିସିଆରପି) ନାମକ ଏକ ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋଙ୍କୁ ସବୁଠାରୁ ଅଧିକ ଦୁର୍ନୀତ ଗ୍ରସ୍ତ ତାଲିକାର ଶୀର୍ଷରେ ସ୍ଥାନିତ କରାଯାଇଛି।

ଏହି ତାଲିକାରେ ସିରିଆର ଏକଛତ୍ରବାଦୀ ଶାସକ ବାଶାର ଅଲ-ଆସାଦ, ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋନ ଏବଂ ଅଷ୍ଟ୍ରିଆର ଚାନ୍ସଲର ସେବାଷ୍ଟିଆନ କୁର୍ଜ ଅଛନ୍ତି।

ଓସିସିସିଆରପି ପକ୍ଷରୁ କୁହାଯାଇଛି ଯେ ଘନିଙ୍କୁ ଏହି ତାଲିକାରେ ସ୍ଥାନୀତ କରାଯାଇଛି କାରଣ ସେ ନିଜ ନାଗରିକଙ୍କ ମୃତ୍ୟୁ ମୁହଁରେ ଛାଡି ଦେଶ ଛାଡି ପଳାଇଛନ୍ତି। ଜଜ ପ୍ୟାନେଲରେ ସଂଗଠନର ସହ-ପ୍ରତିଷ୍ଠାତା ଡ୍ରୁ ସଲିଓ୍ବେନ ମଧ୍ୟ ଥିଲେ। ଦୁର୍ନୀତି ଏବଂ ଅକ୍ଷମତା ହେତୁ ଘନିଙ୍କୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି ବୋଲି ସଲିଓ୍ବେନ କହିଛନ୍ତି।

ସେ କହିଛନ୍ତି ଯେ ଘନି ନିଜ ଲୋକଙ୍କୁ ଦୁଃଖ ଓ ମୃତ୍ୟୁ ମଧ୍ୟରେ ଛାଡି ଦେଇଛନ୍ତି ଯାହା ଦ୍ୱାରା ସେ ନିଜେ ଦେଶର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସହ ୟୁଏଇରେ ଖୁସିରେ ବାସ କରି ପାରିବେ।

୬ ଜଣ ଗଣମାଧ୍ୟମ ପ୍ରତିନିଧି ଏବଂ ବିଶେଷଜ୍ଞଙ୍କ ଦ୍ୱାରା ଗଠିତ ଏକ ପ୍ୟାନେଲ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇିଛି। ଏହା ଦ୍ୱାରା ଘନିଙ୍କ ସମସ୍ୟା ପୁଣି ବଢ଼ିବ ବୋଲି ଆଶଙ୍କା କରାଯାଉଛି।

 

Share