ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅଙ୍କୁ ୫ ବର୍ଷ ଜେଲ

ତେହେରାନ,୧୧ା୧: ଇରାନର ପୂର୍ବତନ ରାଷ୍ଟ୍ରପତି ଆକବର ହାସେମି ରଫ୍‌ସାନ୍‌ଜାନିଙ୍କ ଝିଅ ଫାଏଜେ ହାସେମିଙ୍କୁ ୫ ବର୍ଷ ଜେଲଦଣ୍ଡ ହୋଇଛି। ତେବେ କେଉଁ ଅପରାଧରେ ତାଙ୍କୁ ଦଣ୍ଡିତ କରାଯାଇଛି, ତାହା ଜଣାପଡ଼ିନାହିଁ। ତାଙ୍କ ବିରୋଧରେ ସରକାର ବିରୋଧୀ ପ୍ରଚାର ଅଭିଯୋଗ ଅଣାଯାଇଥିବା ତେହରାନର ସରକାରୀ ଓକିଲ ସୂଚନା ଦେଇଥିଲେ। ଗତବର୍ଷ ସେପ୍ଟେମ୍ବରରେ ୨୨ ବର୍ଷୀୟ ମହିଳା ମହସା ଅମିନିଙ୍କର ହାଜତରେ ମୃତ୍ୟୁ ଘଟିବା ପରେ ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଜୋର୍‌ ଧରିଥିଲା। ଏହି ସମୟରେ ଦଙ୍ଗାକୁ ଉସୁକାଇବା ଅଭିଯୋଗରେ ଫାଏଜେଙ୍କୁ ଗିରଫ କରାଯାଇଥିଲା। ୧୯୭୯ ବିପ୍ଳବ ପରେ ଏହି ଆନ୍ଦୋଳନ ଇରାନ ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା। ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନ ଜାରି ରହିଥିବାବେଳେ ଏହାକୁ ଦମନ କରିବା ଲାଗି ସରକାର ବଳ ପ୍ରୟୋଗ କରିଥିଲେ। ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ଅନେକଙ୍କ ଜୀବନ ଯାଇଥିବାବେଳେ ବହୁସଂଖ୍ୟାରେ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିଲା। ଇତିମଧ୍ୟରେ କେତେଜଣଙ୍କୁ ମିଥ୍ୟା ଅଭିଯୋଗରେ ଦୋଷୀସାବ୍ୟସ୍ତ କରାଯାଇ ଫାଶୀ ଦିଆଗଲାଣି। ଫାଏଜେଙ୍କୁ ୫ ବର୍ଷ ଜେଲଦଣ୍ଡ ମିଳିଥିବାବେଳେ ଏହା ଚୂଡ଼ାନ୍ତ ନୁହେଁ ବୋଲି ପ୍ରତିପକ୍ଷ ଓକିଲ ଟୁଇଟ୍‌ କରିଛନ୍ତି।

Share